ସୁନ୍ଦରଗଡ – ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କରିଛି ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ମାନସପୁତ୍ର “ବସନ୍ତ ମହୋତ୍ସବ”। ଦୀର୍ଘ ପଚିଶି ବର୍ଷ ତଳେ ଏହି ମହୋତ୍ସବର ବୀଜବପନ କରିଥିଲେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳ। ସୁନ୍ଦରଗଡର ସାଂସ୍କୃତିକ ଚେତନା ଓ କଳାର ଅଭିବୃଦ୍ଧି ପାଇଁ ସ୍ବର୍ଗତ ଭୋଳଙ୍କ ଏହି ଅଭିନବ ପ୍ରୟାସକୁ ତାଙ୍କ ବର୍ତ୍ତମାନର ଆଗକୁ ବଢ଼ାଇବା କାମ କରୁଛି ନବଜୀବନ। ଏହି ପରିପ୍ରେକ୍ଷୀରେ ଗତ କାଲି ସୁନ୍ଦରଗଡ ଡିଆର.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ ତଥା ବିଶିଷ୍ଟ ଗାଳ୍ପିକ ରାଜକିଶୋର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଏହି ମହୋତ୍ସବରେ ଯୋଗଦାନ କରିଥିଲେ । ଦୀପ ପ୍ରଜ୍ବଳନ ତଥା ମାଲ୍ୟାର୍ପଣ ପରେ ଉପସ୍ଥିତ ଅତିଥିବୃନ୍ଦ ସ୍ବର୍ଗତ ଭୋଳଙ୍କ ସ୍ମୃତିଚାରଣ କରି ସୁନ୍ଦରଗଡ କଳା ଓ ସଂସ୍କୃତିକୁ ଏକ ନବ ଦିଗନ୍ତରେ ପହଞ୍ଚାଇବାରେ ତାଙ୍କ ଅକଥନୀୟ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାହୁ ସୁନ୍ଦରଗଡର କଳା , ସଂସ୍କୃତିକୁ ଏହି ମହୋତ୍ସବ ଆଗକୁ ନେବ ବୋଲି ଆଶା ପ୍ରକାଶ କରିବା ସହ ଏହି ମହୋତ୍ସବର ସ୍ରଷ୍ଟା ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଚିନ୍ତନକୁ ନମନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ ସୁନ୍ଦରଗଡର ନାଟ୍ୟ ଜଗତର ବିବର୍ତ୍ତନ ଉପରେ ଆଲୋକପାତ କରିବା ସହିତ ସୁନ୍ଦରଗଡର ଏହି ସାଂସ୍କୃତିକ ଐତିହ୍ୟକୁ କିପରି ସ୍ବର୍ଗତ ଭୋଳ ଆଗକୁ ନେଇଥିଲେ ତାହା ବର୍ଣ୍ଣନା କରିଥିଲେ। ଏହାପରେ କଣ୍ଠଶିଳ୍ପୀ ସୁଜାତା ପରିଡ଼ା ଓ ଶରଦେନ୍ଦୁ(ନିକୁ)ମହାପାତ୍ର ହିନ୍ଦୀ ଗୀତ ପରିବେଷଣ କରିଥିଲେ। ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଆଦୃତ ପରମ୍ପରାକୁ ପାଥେୟ କରି ସ୍ଥାନୀୟ କଳାକାରମାନଙ୍କ କଳାନୈପୁଣ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଦିଗରେ ବିଭାପା ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମରେଶ ସାମଲଙ୍କ ସୁନ୍ଦର ଭାଓଲିନ ବାଦନ ଓ ଆୟୁଶ୍ରୀ ତ୍ରିପାଠୀଙ୍କ ସୁଲଳିତ ହିନ୍ଦୀ ସଙ୍ଗୀତ ପରିବେଷଣରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଦର୍ଶକ। ଏହା ପରେ ଆରମ୍ଭ ହୋଇଥିଲା ନାଲକୋ ଦାମନଯୋଡିର ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ ଅନୁଷ୍ଠାନର ନାଟକ “କଳା ମଲ୍ଲୀ” । ସୁନାମଧନ୍ୟ ଲେଖକ ସୁଶାନ୍ତ କୁମାର ଦାସଙ୍କ ରଚିତ ଏହି ନାଟକର ନିଖୁଣ ନିର୍ଦ୍ଦେଶନା ଦେଇଥିଲେ ବିଖ୍ୟାତ ନିର୍ଦ୍ଦେଶକ ଶେଷଦେଵ ଶତପଥୀ । ନବଜୀବନ ସଭାପତି ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣନିଧି ମହାନ୍ତି, ରାଜକିଶୋର ମହାରଣା, ଅଜୟ ବହିଦାର, ଚନ୍ଦ୍ରମଣି ମିଶ୍ର, ଶ୍ୟାମ ନନ୍ଦନ ସହାୟ, ଗୋପକୃଷ୍ଣ ନାୟକ, ଦେବେନ ଅମାତ, ଲତିକା ପଟ୍ଟନାୟକ,କୁମୁଦ ପଣ୍ଡା, ବୃନ୍ଦାବନ ଦାଶ, ବିଜୁ ମହାରଣା, ସିଦ୍ଧାନ୍ତ ପଣ୍ଡା, ଲକ୍ଷ୍ମୀପ୍ରଭା ପତି ଓ ଚିରବ୍ରତ ଦତ୍ତ ତଥା ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ। ବିଶ୍ବରଞ୍ଜନ ହୋତା ସଭା ସଞ୍ଚାଳନ କରିଥିଲେ।ଏହି ମହୋତ୍ସବରେ ଶେଷ ସନ୍ଧ୍ୟାରେ ନବଜୀବନର ନାଟକ ” କାଉଁର ” ଅନୁଷ୍ଠିତ ହେବାର ସୂଚନା ସଭାପତି ଶ୍ରୀ ଭୋଳ ପ୍ରଦାନ କରିଛନ୍ତି।
