ଆସିକାରେ ବିଜୁଜନତା ଦଳ ପକ୍ଷରୁ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରାଯାଇଛି । ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆସିକା ସାଂସଦ ପ୍ରମିଳା ବିଶୋଇ ଯୋଗଦେଇଥିଲେ। ସେହିପରି ଗଞ୍ଜାମ ଜୋନ ବିଜେଡି ସଭାପତି ନଚିକେତା ସ୍ୱାଇଁ ଉପସ୍ଥିତ ରହି ଓଡ଼ିଶାର ପୂର୍ବ ସୁରୀ ମାନଙ୍କ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ହୋଇଥିବା ବେଳେ କଳା ସାହିତ୍ୟ ସଂସ୍କୃତି ଆଦିର ଗନ୍ତାଘର ଭାବେ ପରିଚିତ। କଳାର ଉତ୍କର୍ଷତା ପାଇଁ ଏହାର ନାମ ଉତ୍କଳ ବୋଲି ମଧ୍ୟ କୁହାଯାଏ। ଆଜି ଭଳି ଏକ ପବିତ୍ର ଦିନରେ ଉତ୍କଳର ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇ ସେମାନଙ୍କ ଜାତୀୟ ମମତାକୁ ନେଇ ଓଡିଶା ସବୁବେଳେ ଗର୍ବିତ ବୋଲି କହିଥିଲେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ। ରାଜ୍ୟର ସ୍ୱାର୍ଥ ପାଇଁ ଯେଉଁ ମାନଙ୍କ ବଳିଦାନ ରହିଛି,ସେମାନଙ୍କ ପ୍ରତି ସମ୍ମାନ ଜଣାଇବା ଓ ସେମାନଙ୍କ ପଥ ଅନୁସରଣ କରିବା ପାଇଁ କହିଥିଲେ ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ। ଯୁବସମାଜଙ୍କ ମନରେ ଜାତୀୟ ଭାବନା ଓ ରାଜ୍ୟର ପ୍ରଗତି ପାଇଁ ଇନ୍ଧନ ଯୋଗାଇଥିବା ସେହି ମହାପୁରୁଷ ମାନେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବୋଲି ମତ ରଖିଥିଲେ ଜିଲ୍ଲାପରିଷଦ ସଭ୍ୟ ବି ମନୋଜ କୁମାର ଦୋରା। ଓଡିଶାର ଗର୍ବ ଗୌରବ ଓ ପୂର୍ବସୁରି ମାନଙ୍କ ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ପଦା ଅନୁସରଣ କରିବା ପାଇଁ ସମସ୍ତ ବିଜେଡି କର୍ମୀ ଓ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ଉପଦେଶ ଦେଇଥିଲେ ବରିଷ୍ଠ ବିଜେଡି ନେତା ରାଜେଶ ପଟ୍ଟନାୟକ । ଏହି ଅବସରରେ ଏନ ଏ ସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ,ବରିଷ୍ଠ ବିଜେଡି ନେତ୍ରୀ ରଶ୍ମିତା ସେନାପତି, ଚଢ଼େୟାପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ, ନଳବଣ୍ଟା ସରପଞ୍ଚ କିଶୋର ଭୂୟାଁ, ଯୁବନେତା ପ୍ରତାପ ପ୍ରଧାନ, କାହ୍ନୁ ଦଳେଇ,ଶ୍ୱେତ ବସନ୍ତ ଲେଙ୍କା,କେଶବ ଗୌଡ଼ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.