ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ହିଞ୍ଜିଳି କଂଗ୍ରେସର‌ କ୍ୟାଣ୍ଡେଲ ଶୋଭାଯାତ୍ରା

add-all

ହିଞ୍ଜିଳିକାଟୁ : ଗତ ୩ ମାସ ଧରି ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। କଥା କଥାକେ ଗୁଳିଫୁଟୁଛି। କେତେବେଳେ ଖଣ୍ଡାଚୋଟ ତ କେତେବେଳେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ। ଗତ ୩ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୨୧ ଜଣଙ୍କୁ ହତ୍ୟା କରାଯାଇଛି। ମାତ୍ର ୩ ଦିନର ବ୍ୟବଧାନରେ ୩ଟି ହତ୍ୟାକାଣ୍ଡ ଘଟିବା ସହ ୩ ଜଣଙ୍କୁ ହତ୍ୟା କରାଯାଇଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ହିଞ୍ଜିଳି କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ବହୁ କର୍ମୀ ବସ୍ ଟର୍ମିନାଲ ପରିସରରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରିବା ବଜାର ନିକଟସ୍ଥ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ସଜାଡିବାରେ ପୁଲିସ ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଉପସ୍ଥିତ କର୍ମୀ ମାନେ ମତବ୍ୟକ୍ତ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଅଣାନଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଭୂବନେଶ୍ବର ନାୟକ, ପ୍ରଦୀପ କୁମାର ମହାରଣା, ବେଣୁଧର ବିଷୋୟୀ, ଶତୃଘ୍ନ ନାୟକ, ଚିତ୍ର ଗୈାଡ, ଆଶିଷ ପାଢ଼ୀ, ବିରଞ୍ଚି ନାରାୟଣ ପାଢି, ସୁଶିଲ ମଲ୍ଲ, ଧନଞ୍ଜୟ ବେହେରା, ରବିନ୍ଦ୍ର ବୈଠାରୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.