ଲୋକକଳାରେ ଲୋକ ସଂସ୍କୃତି ବଞ୍ଚି ରହିଛି – ଗବେଷକ ଶ୍ରୀ ଚର୍ଚ୍ଚି

ଗଞ୍ଜାମ ଜିଲ୍ଲା ଲୋକକଳାର ଗନ୍ତାଘର – ଖଲ୍ଲିକୋଟ ବିଧାୟକ
ଗଞ୍ଜାମ ଜିଲ୍ଲାରେ ଲୋକ ନାଟକ ଏକାଡେମୀ ପ୍ରତିଷ୍ଠା ସକାଶେ ମତ ପ୍ରକାଶ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ, ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଏକ କଳାକାର ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା ପୂର୍ବକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପହଞ୍ଚି ଥିଲା । ଶୋଭାଯାତ୍ରାଟି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲାର ବରିଷ୍ଠ କଳାକାର ପ୍ରମୁଖ ଯୋଗଦାନ କରିଥିଲେ । ଶୋଭାଯାତ୍ରା ପରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ କଳାକାର ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦେବ ଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଶିଷ୍ଟ ଲୋକକଳା ଗବେଷକ ଡଃ ବାୟା ମାନୁ ଚର୍ଚ୍ଚି, ଜିଲ୍ଲା କଳା ସାଂସ୍କୃତିକ ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢୀ, ସ୍ତମ୍ଭକାର ପ୍ରଫେସର୍ ଭି. ରାଜେନ୍ଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଅରୁଣ କୁମାର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଖ୍ଯ ଅତିଥି ବିଧାୟକ ଖଲ୍ଲିକୋଟ ପୂର୍ଣ୍ଣ ଚନ୍ଦ୍ର ସେଠୀ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଗଞ୍ଜାମ ଜିଲ୍ଲାର ଲୋକକଳା ଅତି ପୂରାତନ, ଗଞ୍ଜାମ ଜିଲ୍ଲା ଲୋକକଳାର ଗନ୍ତା ଘର । ଏହି କଳାର ଐତିହ୍ୟ ବଜାୟ ରଖିବା ସକାଶେ ସରକାରଙ୍କ ପ୍ରୟାସ ଜାରି ରହିଥିବା ମତ ଦେଇଥିଲେ । ଆଲୋଚନାର ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଲୋକକଳା ଗବେଷକ ଡ. ବାୟା ମନୁ ଚର୍ଚ୍ଚି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ୬୭ ପ୍ରକାର ଲୀଳା ନାଟ୍ୟ, ନାଟକ, ନାଟ, ନାଚ ଓ ନୃତ୍ୟ ରହିଛି । ଏହା ସମଗ୍ର ବିଶ୍ବରେ ବିରଳ ଦୃଷ୍ଟାନ୍ତ । ଗଞ୍ଜାମର ରଣପା ନାଚ, ବାଘ ନାଚ ବିଶ୍ବରେ ପ୍ରସିଦ୍ଧିଲାଭ କରିଛି । ଭାରତ ଲୀଳା ଭାରତ ବାହାରେ ଅଭିନୀତ ହୋଇଥିବା ପ୍ରଥମ ଲୋକ ନାଟକ ବୋଲି ଦୃଢୋକ୍ତିର ସହିତ ଜଣାଇଥିଲେ ।


ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଦେବ ଦତ୍ତ ପଣ୍ଡା ଜଣାଇଥିଲେ ଯେ, ଲୋକକଳାର ପେଣ୍ଠ ସ୍ଥଳ ଗଞ୍ଜାମ ଜିଲ୍ଲା ।ଏହି ଜିଲ୍ଲାର ଆଦର ଲୋକକଳାର ଆଦର ଅନ୍ୟତ୍ର ବିରଳ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକ୍ ର ୪୪ ଜଣ ବରିଷ୍ଠ ଲୋକକଳା ଗୁରୁ ଓ ଲୋକକଳା କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା । ବ୍ଲକ୍ କଳା ସାଂସ୍କୃତିକ ସଂଘର ସମସ୍ତ ବ୍ଲକ୍ ର ଉପ ସଭାପତି ମାନଙ୍କୁ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଲୋକକଳାର କ୍ଷେତ୍ର ହୋଇଥିବା ହେତୁ ଲୋକକଳାକୁ ଚିରସ୍ଥାୟୀ କରିବା ନିମନ୍ତେ ଯୁବ ପିଢୀଙ୍କୁ ଏଥିରେ ପ୍ରୋତ୍ସାହନ ଦେବାକୁ ଆଲୋଚନାରେ ମତ ପ୍ରକାଶ ପାଇଥିଲା । ତତ୍ ସହିତ ଗଞ୍ଜାମ ଜିଲ୍ଲାରେ ଲୋକ ନାଟକ ଏକାଡେମୀ ପ୍ରତିଷ୍ଠା ସକାଶେ ସମସ୍ତ କଳାକାର, ଗବେଷକ ଏବଂ ଅତିଥି ଗଣ ମତ ଦେଇଥିଲେ । ଓଡିଶା ନାଟକ ସମାରୋହ ସମିତି ସଭାପତି ଅନୀଲ୍ କୁମାର ପାତ୍ର ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ଲୋକକଳା ଉପ ସଭାପତି ଜଗଦୀଶ ପାଣିହଗ୍ରାହୀ, ଖଲ୍ଲିକୋଟ ଲୋକକଳା ଉପ ସଭାପତି ମହେଶ୍ବର ବରାଡ, କବି ସୂର୍ଯ୍ୟନଗର କଳା ସଂଘ ଉପସଭାପତି ରଙ୍କନିଧି ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚରେ ବାଡି ଆଖଡା, ଭାରତ ଲୀଳା, ଘଣ୍ଟ ମୃଦଙ୍ଗ ଓ ସଂକୀର୍ତ୍ତନ ପରିବେଷଣ ହୋଇଥିଲା ।

nis-ad
Leave A Reply

Your email address will not be published.