ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ

ରାଇକିଆ : କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତରେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହୋଇଛି। ପଞ୍ଚାୟତର କିଛି ୱାର୍ଡରେ ପାଣି ଯୋଗାଣ ନିୟମିତ ଭାବେ ଚାଲୁରହିଥିବା ବେଳେ ଗ୍ରୀଷ୍ମ ଆରମ୍ଭରୁ ହିଁ ଗର୍ଜନୀ ନଦୀରେ ଜଳସ୍ଥର କମିଯିବାରୁ ପାଣି ଯୋଗାଣ କରିବା କଷ୍ଟକର ହୋଇଯାଇଥିଲା । ଜଳ ସମସ୍ୟାର ସମାଧାନ କରିବା ପାଇଁ ବହୁପ୍ରତିକ୍ଷିତ ମିନି ମେଗା ପ୍ରକଳ୍ପ ପାନୀୟ ଜଳ ଯୋଗାଣକୁ ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ରାଇକିଆ ପଞ୍ଚାୟତ ଅନ୍ତର୍ଗତ କାଲୁମାହା ଏବଂ ସରୁନାଜ ୱାର୍ଡରେ ପାନୀୟ ଯୋଗାଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ପ୍ରତ୍ୟେକ ବର୍ଷ ଖରା ଦିନେ ପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । ଉକ୍ତ ଅଞ୍ଚଳ ଗୁଡିକରେ ପ୍ରଥମ ଥର ପାଇଁ ଟ୍ୟାପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଅଛି । ପଞ୍ଚାୟତ ଜଳ ସମସ୍ୟା ଦୂର କରିଥିବାରୁ ଅଞ୍ଚଳ ବାସୀ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭରୁ ହିଁ ରାଇକିଆ ପଞ୍ଚାୟତ ସହଯୋଗରେ କେଉଁ କେଉଁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇ ଥାଏ ସେସବୁ ସ୍ଥାନକୁ ଚିହ୍ନଟ କରି ପାଇପ୍ ବିଛାଇବା ସହ ପାଇପ୍ ଟେପ୍ ଷ୍ଟାଣ୍ଡ ସ୍ଥାପନ କରାଯାଇଥିଲା । ଆଉ କିଛି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ଆଗାମୀ ୧୫ ଦିନ ମଧ୍ୟରେ ପଞ୍ଚାୟତର ଅନ୍ୟ ସମସ୍ତ ୱାର୍ଡରେ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ନିଥୟଲ ନାୟକ, ସାନ ଦିଗାଳ, ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.