ସୁନ୍ଦରଗଡ ଜିତିଲା କଳାହାଣ୍ଡି କପ୍

: ପ୍ରାକ୍ତନ ଖେଳାଳୀ ଓ ସୁନ୍ଦରଗଡର କ୍ରିକେଟ ପ୍ରେମୀମାନଙ୍କୁ ଏହି କପ୍ ଉତ୍ସର୍ଗୀକୃତ – ପ୍ରଭାତ ଭୋଳ

ସୁନ୍ଦରଗଡ : କ୍ରୀଡାର ମାଟି ହେଉଛି ସୁନ୍ଦରଗଡ। ଅନେକ ଏହାକୁ ହକିର ଏନ୍ତୁଡିଶାଳ ବୋଲି କହନ୍ତି। ମାତ୍ର ଅନେକ ସମୟରେ ଅନେକ ଖେଳ ଦ୍ଵାରା ପ୍ରଶଂସିତ ହୋଇଛି ସୁନ୍ଦରଗଡ। ଅନ୍ୟାନ୍ୟ ଖେଳରେ ରାଜ୍ୟରେ ନିଜର ପ୍ରଭାବ ଦେଖାଇ ପାରିଥିବା ସୁନ୍ଦରଗଡ କିନ୍ତୁ ବହୁଦିନ ଧରି ବରିଷ୍ଠ ବର୍ଗରେ କ୍ରିକେଟ ଖେଳରେ ବ୍ୟକ୍ତିଗତ ସ୍ତରରେ କିଛି ପ୍ରଦର୍ଶନ ବ୍ୟତିରକେ ଦଳଗତ ଭାବରେ ସେଭଳି କିଛି ଖାସ୍ ପ୍ରଦର୍ଶନ କରି ପାରି ନଥିଲା। ମାତ୍ର ଏବର୍ଷ ଥିଲା ଏକ ବ୍ୟତିକ୍ରମ। ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ପ୍ରଚେଷ୍ଟାରେ ଏକଦା ଜର୍ଜରିତ ଅବସ୍ଥାରେ ଥିବା ଏହି କ୍ରୀଡା ସଂସଦ ଷ୍ଟାଡିୟମ ପରିବର୍ତ୍ତିତ ହୋଇ ଥିଲା ଏକ ଉତ୍କୃଷ୍ଟ ମାନର ଭିତ୍ତିଭୂମି ଥିବା ଖେଳ ପ୍ରାଙ୍ଗଣରେ। କ୍ରିକେଟ ସମ୍ପାଦକ ଶିଶିର ପଟେଲଙ୍କ ସହଯୋଗରେ ଅନେକ ପ୍ରଶିକ୍ଷଣ ଶିବିର, ଅଭ୍ୟାସ ଶିବିର ଆୟୋଜନ କରି ଏକ ବଳିଷ୍ଠ ଦଳ ନିର୍ମାଣରେ ଲାଗିଥିଲେ ଶ୍ରୀ ଭୋଳ। ହେଲେ ନିକଟ ଅତୀତରେ ସୁନ୍ଦରଗଡର ଭାବରେ କ୍ରିକେଟ କୋଚ୍ ସୁଶୀଳ କୁମାର ମିଶ୍ର ଯୋଗ ଦେବା ପରେ କଡ ଲେଉଟେଇଲା ସୁନ୍ଦରଗଡ କ୍ରିକେଟ। ସଘନ ପ୍ରଶିକ୍ଷଣ ପାଇ ଗଢି ଉଠିଥିଲା ଏକ ଦୃଢ଼ ମାନସିକତା ଥିବା ଦଳ। ଲିଗ୍ ପର୍ଯ୍ୟାୟରେ କଳାହାଣ୍ଡିକୁ ୮ ୱିକେଟ , ଗଜପତିକୁ ୭୦ ରନ, ଭୁବନେଶ୍ୱର ଖ କୁ ୯ ୱିକେଟ, ପାରାଦୀପକୁ ୯୧ ରନ ଓ ନୟାଗଡକୁ ୩ ୱିକେଟରେ ପରାସ୍ତ କରିବା ପରେ ସୁପର ଲିଗ୍ ପର୍ଯ୍ୟାୟରେ ବାଲେଶ୍ଵରକୁ ୧୬୭ ରନ ଓ ପୂର୍ବତଟ ରେଳବାଇ ଦଳକୁ ୪୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ସୁନ୍ଦରଗଡ। ଫାଇନାଲରେ ସମ୍ମୁଖରେ ଥିଲା ପ୍ରବଳ ପରାକ୍ରମୀ କଟକ “କ” ଦଳ ଯାହାର ପ୍ରଦର୍ଶନ ଅନେକ ବର୍ଷରୁ ସାଧାରଣତଃ ସ୍ଥିର। ସୁନ୍ଦରଗଡ ଯେ ଫାଇନାଲରେ କଟକକୁ ହରାଇ ପାରିବ ,ଏକଥା ନିଜେ ବିଶ୍ୱାସ କରି ପାରୁନଥିଲେ ବୋଲି ପ୍ରକାଶ କରନ୍ତି ସାଧାରଣ ସମ୍ପାଦକ ଶ୍ରୀ ଭୋଳ। ମାତ୍ର କଠିନ ଅଧ୍ୟବସାୟ କରିଥିବା ଏହି ଦଳ ଅଧିନାୟକ ଶରତ ମିଞ୍ଜଙ୍କ ଶାଣିତ ନେତୃତ୍ତ୍ୱ ଓ କୋଚ୍ ସୁଶୀଳ କୁମାର ମିଶ୍ରଙ୍କ ନିର୍ଭୁଲ ମାର୍ଗଦର୍ଶନରେ ସମସ୍ତଙ୍କୁ ଭୁଲ ପ୍ରତିପାଦିତ କରି ୪ ୱିକେଟ ବ୍ୟବଧାନରେ ପରାସ୍ତ କରନ୍ତି କଟକ କ ଦଳକୁ ଓ ପ୍ରଥମ ଥର ପାଇଁ ହାତେଇ ନିଅନ୍ତି ମର୍ଯ୍ୟାଦାପୂର୍ଣ୍ଣ କଳାହାଣ୍ଡି କପ୍। ଏହା ପରେ ଅଭିନନ୍ଦନର ସୁଅ ଛୁଟିଥିଲା ଜିଲ୍ଲା କ୍ରୀଡା ସଂସଦକୁ। ଦଳ ସୁନ୍ଦରଗଡକୁ ଫେରିବା ପରେ ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ପ୍ରଥମ ଥର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ବିଜେତା ଦଳକୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ତତ୍ ସହିତ ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂସଦ ନିଜ ତରଫରୁ ଘୋଷଣା କରିଥିଲା ଆଉ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଉରକେଲା ବିଧାୟକ ସାରଦା ନାଏକ ଓ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ସୁନ୍ଦରଗଡ ଡି.ଆର୍.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ସୁରଞ୍ଜନ ସାହୁ ଓ ବିଶିଷ୍ଟ ଉଦ୍ୟୋଗପତି ସଞ୍ଜୟ ନନ୍ଦ। ପୁରସ୍କାର ବିତରଣ ସମୟରେ ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ନନ୍ଦ ଏହି ବିଜେତା ଦଳକୁ ନିଜ ତରଫରୁ ୫୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରି ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ସୁନାମଧନ୍ୟ କ୍ରିକେଟ ଖେଳାଳୀ ଗୋବିନ୍ଦ ପୋଦ୍ଦାର, ସ୍ଵସ୍ତିକ ସାମଲ ଓ ବିଭାସ ସ ତଥା ୨୦୦୮ରେ କନିଷ୍ଠ ବର୍ଗର ଖେଳାଳୀ ଅଭିନବ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ ଏହି ସଫଳତା ପାଇଁ ବିଜେତା ଦଳକୁ ଶୁଭେଚ୍ଛା ଜଣାଇବା ସହିତ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଓ ସଂସଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ୍ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ରିକେଟ ପ୍ରେମୀ ଶରଦେନ୍ଦୁ (ନିକୁ) ମହାପାତ୍ର, ପୁରାତନ କ୍ରିକେଟ ଖେଳାଳୀ ବାଳ ଗୋପାଳ ମିଶ୍ର ତାଙ୍କ ମଧୁର ଓ ସୁଲଳିତ କଣ୍ଠରେ ଗୀତ ପରିବେଷଣ କରିଥିବା ବେଳେ ଵିଭାପା ଅଧ୍ୟକ୍ଷ ଅମରେଶ ସାମଲ ତାଙ୍କ ଭାଓଲିନ ବାଦନରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ବୋହିଦାର, ସହସଂପାଦକ ଜୟଦେବ ପାତ୍ର, ଉପସଭାପତି ବିମଳ ବୋଷ, ରାଧାମୋହନ ନାଏକ, ବିଭୂଦତ୍ତ ପାତ୍ର, ମେରୀ ଜନ୍ ବାଗେ, ଅଶ୍ଵିନୀ ଭୋଳ ଓ ସଦସ୍ୟ ଆଶିଷ ଦେ, ପ୍ରଶାନ୍ତ ପଟେଲ, ରୋମାଞ୍ଚ ଭାଇଁସାଲ, ସୁରଜ ଭାଇଁସାଲ୍, ପ୍ରସାଦ ନାଏକ, ଅକ୍ଷୟ ନାଏକ, ସୁଶୀଳ ପଟେଲ, ଶିଶିର ପଟେଲ, ଅରବିନ୍ଦ ପାତ୍ର, ସଂଗ୍ରାମ କେଶରୀ ଦାସ, ମନୋଜ ସାହୁ, ଶ୍ୟାମ ନନ୍ଦନ ସହାୟ, ଅଜୟ ବହିଦାର,ଅଶୋକ ବରାଇ, ନିତ୍ୟ କୁମାର ବଳ ଓ ଜଗମୋହନ ରାଉତ ପ୍ରମୁଖ ସହଯୋଗ କରିଥିଲେ। କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ସଦସ୍ୟ ବିଶ୍ଵରଞ୍ଜନ ହୋତା ମଞ୍ଚ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.