ଏକ ସାଙ୍ଗରେ ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ ।
ପ୍ରଥମ ଥର ପାଇଁ ମହିଳାଙ୍କ ଏକ ଟିମ୍ ମହାକାଶ ଯାତ୍ରା କରିବେ । ପୂର୍ବରୁ ୧୯୬୩ରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକା ଏକା ମହାକାଶ ଯାତ୍ରା କରିଥିଲେ । ଆଜିର ମହାକାଶ ଯାତ୍ରାରେ ମହାକାଶ ଯିବେ ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ । ଏମାନଙ୍କ ସହ ମହାକାଶ ଯିବେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ସେ ଏହି ଗ୍ରୁପକୁ ଲିଡ୍ କରିବେ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିବେ।
ଏହି ମହାକାଶ ଯାନ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ । ଏହି ଯାତ୍ରା ପ୍ରାୟ ୧୧ ମିନିଟ୍ ଧରି ଚାଲିବ। ନ୍ୟୁ ସେପର୍ଡର ଯାତ୍ରୀ ଶବ୍ଦର ଗତିଠାରୁ ୩ ଗୁଣା ଅଧିକ ବେଗରେ କ୍ୟାପସୁଲରେ ବସି ମହାକାଶକୁ ଯିବେ । ଏହି ସବୁ ମହିଳା, ପୃଥିବୀର ବାୟୁ ମଣ୍ଡଳ ଓ ମହାକାଶ ମଝିରେ ଥିବା କାଳ୍ପନିକ ରେଖା କାର୍ମନ ଲାଇନ୍ ପାର କରିବେ । କର୍ମାନ ସୀମାରେ ପ୍ରାୟ ୩ ମିନିଟ ପର୍ଯ୍ୟନ୍ତ ଗୁରୁତ୍ୱାକର୍ଷଣ ଶକ୍ତି ବିନା ଓଜନ ଶୂନ୍ୟ ଅନୁଭବ କରିବେ । ସେଠାରୁ ମହାକାଶ ଯାତ୍ରୀ ପୃଥିବୀର ଆକର୍ଷଣୀୟ ଦୃଶ୍ୟ ଦେଖି ପାରିବେ ।
ଏହାପରେ ପୃଥିବୀ ପୃଷ୍ଠକୁ ଫେରି ଆସିବେ ୬ ମହିଳା ଯାତ୍ରୀ । ପାରାଚ୍ୟୁଟ୍ ସାହାଯ୍ୟରେ କ୍ୟାପସୁଲରେ ବସି ଯାତ୍ରୀମାନେ ପୃଥିବୀ ପୃଷ୍ଠକୁ ଫେରିବେ । ବ୍ଲୁ ଓରିଜିନ ତରଫରୁ କୁହାଯାଇଛି, ଏହା କେବଳ ଏକ ମହାକାଶ ମିଶନ ନୁହଁ । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଉଦ୍ଦେଶ୍ୟରେ ଏହି ମିଶନକୁ ପ୍ରସ୍ତୁତ କରାଯାଇଛି ।
