ଓଡ଼ିଆ ସ୍ୱାଭିମାନକୁ ଜାଳି ଦିଆଗଲା : ପ୍ରସନ୍ନ ଆଚାର୍ଯ୍ୟ

youtube

ସମ୍ବଲପୁର : ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକରେ ଥିବା ପ୍ରତିମୂର୍ତ୍ତିକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଜୁ ବାବୁ ରାଜନୀତିରୁ ଉର୍ଦ୍ଧରେ ରହି ଓଡିଆଙ୍କ ପାଇଁ ଚିନ୍ତା କରି ଓଡିଶାର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ସେ ସମଗ୍ର ଓଡିଆ ଜାତି ପାଇଁ ଥିଲେ ଜନନେତା । ତାଙ୍କର ପ୍ରତିମୂର୍ତ୍ତିକୁ ଜାଳି ଦିଆଯିବା ପରେ ସାରା ରାଜ୍ୟରେ ଏହାର ବିରୋଧରେ ସ୍ୱର ଉଠିଛି । ଏହାକୁ ନେଇ ବିଧାନସଭାରେ ବିରୋଧି ଦଳର ଉପ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ତୀବ୍ର ପ୍ରତିକ୍ରିୟା ପ୍ରଦାନ କରି କହିଛନ୍ତି ଯେ, ଏହା ବିଜୁ ବାବୁଙ୍କୁ ପ୍ରତିମୂର୍ତ୍ତିରେ ନିଆଁ ଲଗାଯାଇ ନାହିଁ, ଏହା ଓଡିଆ ସ୍ୱାଭିମାନକୁ ନିଆଁ ଲଗାଇ ଜାଳି ନଷ୍ଟ କରିଦିଆଗଲା । ବିଜୁ ପଟ୍ଟନାୟକ ଓଡିଆ ସ୍ୱାଭିମାନ, ଓଡିଶାର ସ୍ୱାଭିମାନର ପ୍ରତୀକ । ବିଜୁ ପଟ୍ଟନାୟକ ଜଣେ କେବଳ ଜଣେ ଜନନେତା ନ ଥିଲେ, ସେ ଜଣେ ରାଷ୍ଟ୍ର ନେତା ଥିଲେ । ଓଡିଆ ଜାତିର ସ୍ୱାଭିମାନ ଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଯିଏ ଭି ଜାଳି ଥାଉ, ଏହା ଏକ ଷଡଯନ୍ତ୍ର । ଓଡିଆର ସ୍ୱାଭିମାନକୁ ସେମାନେ ଜାଳି ଦେଲେ । ଏହା ଏକ ଅକ୍ଷମଣୀୟ ଅପରାଧ ଅଟେ । କିଛି ଦିନ ତଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳା ଯାଇଥିଲା । ଏହା ଜାଣିଶୁଣି କରାଯାଉଛି । ଯଦି ସେ ସ୍ଥାନକୁ ନେଇ କୌଣସି ବିବାଦ ରହିଥିଲା, ତେବେ ତାକୁ ଆପୋଷ ସମାଧାନ ହୋଇ ପାରିଥାନ୍ତା ।
କିନ୍ତୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ଓଡିଆ ଜାତି କେବେ ମଧ୍ୟ କ୍ଷମା କରିବ ନାହିଁ । ମୋର ପୁର୍ଣ୍ଣ ବିଶ୍ୱାସ ଯେ, ଏହା ମଧ୍ୟରେ ଏକ ନିହିତ ଷଡଯନ୍ତ୍ର ରହିଛି ଏବଂ ଏଥିରେ ବହୁ ଲୋକଙ୍କ ହାତ ରହିଛି । ସରକାର ତୁରନ୍ତ ଏକ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ କରନ୍ତୁ ଏବଂ ଦୋଷୀକୁ ଧରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ । ଯଦି ସରକାର ଏହା ନ କରିବେ, ସରକାରଙ୍କ ମାନସିକତା ଉପରେ ମଧ୍ୟ ଓଡିଆ ଜାତି ଓ ଲୋକେ ସନ୍ଦେହ ପ୍ରକଟ କରିବେ । ଏହା ଏକ ପ୍ରାକ ରଚିତ ଷଡଯନ୍ତ୍ରର ଅଂଶବିଶେଷ । ବିଜୁ ବାବୁଙ୍କ ନାମରେ ଯେତେ ଯୋଜନା ରହିଥିଲା, ତାକୁ ଧାରାବାହିକ ଭାବରେ ସେଠାରୁ ବିଜୁ ବାବୁଙ୍କୁ ବିଲୁପ୍ତ କରୁଛନ୍ତି । ବିଜୁ ବାବୁଙ୍କ ସ୍ମୃତିକୁ ଅବଦମିତ ଓ ଅପମାନିତ କରିବାର କିଛି ଲୋକ ଷଡଯନ୍ତ୍ର କରୁଛନ୍ତି । ଯଦି ସରକାରଙ୍କ ଏଥିରେ ସମ୍ମତି ନାହିଁ, ତାହା ହେଲେ କାହିଁକି ଚୁପ ରହୁଛନ୍ତି । ତାଙ୍କର ଯୋଜନାକୁ ବଦଳାଇ ଦେଲ, ତାଙ୍କର ପ୍ରତିମୂର୍ତ୍ତିକୁ ବିକୃତ କରିଲ । ତୁମେ ଏହା ବିଜୁ ବାବୁଙ୍କ ଅସମ୍ମାନ କରିଲ ନାହିଁ, ତୁମେ ପୁଜ୍ୟ ପୂଜାର ଅସମ୍ମାନ କରିଲ । ଓଡିଆର ସ୍ୱାଧିନତା ଓ ଜାତିକୁ ସ୍ୱାଭିମାନକୁ ଅସମ୍ମାନ କରିଲ । ଏଣୁ ସରକାରଙ୍କୁ ନିବେଦନ ଯେ, ସରକାର ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତୁ ନାହିଁ । ତୁରନ୍ତ ଏହା ଉପରେ ତଦନ୍ତ କରି, ଯେଉଁ ମାନେ ଦୋଷୀ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସେମାନଙ୍କୁ ନ୍ୟାୟାଳୟ ଜରିଆରେ କଠୋରରୁ କଠୋର ଦଣ୍ଡ ଦିଆଯାଉ । ଓଡିଆ ଜାତି ଏହାକୁ କଦାପି କ୍ଷମା କରି ପାରିବ ନାହିଁ । ଆମେ ଏହାର କଠୋର ନିନ୍ଦା କରୁଛୁ । ସମଗ୍ର ଓଡିଆ ଜାତି ଏହାକୁ ନିନ୍ଦା କରୁଛି ଏବଂ ଏହା ଏକ ଅକ୍ଷମଣୀୟ ଅପରାଧ ଅଟେ ବୋଲି ବିଧାନସଭାରେ ବିରୋଧି ଦଳର ଉପ ନେତା ତଥା ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Leave A Reply

Your email address will not be published.