ଶାବଳରେ ବାପା, ପୁଅକୁ ଆକ୍ରମଣ ଘଟଣା : ଆକ୍ରମଣକାରୀ ବାପା ଓ ପୁଅ ଗିରଫ, ଶାବଳ ଜବତ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପଡୋଶୀଙ୍କ ମଧ୍ୟରେ ବଚସା ଓ ପରେ ଆକ୍ରମଣ ଘଟଣା ଘଟିଥିଲା। ଗୋଟିଏ ପରିବାରର ବାପା ଓ ପୁଅଙ୍କ ମିଳିତ ଆକ୍ରମଣରେ ଅନ୍ୟ ଏକ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଆକ୍ରମଣକାରୀ ବାପା ଓ ପୁଅଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ରାମଚନ୍ଦ୍ର ମୁନି (୫୨) ଓ ତାଙ୍କ ପୁଅ ଅରୁଣ ମୁନି (୨୫) ।
ମଙ୍ଗଳବାର ରାତି ପ୍ରାୟ ସାଢେ଼ ୯ ଘଣ୍ଟା ସମୟରେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ୨ ପଡୋଶୀ ପୁର୍ଣ୍ଣଚନ୍ଦ୍ର ମୁନି ଓ ରାମଚନ୍ଦ୍ର ମୁନିଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ଉଭୟ ପରିବାରର ୨ ପୁଅ ଘଟଣାରେ ସଂପୃକ୍ତ ହୋଇଥିଲେ। ବଚସା ଉଗ୍ରରୂପ ଧାରଣ କରିବା ପରେ ରାମଚନ୍ଦ୍ର ଓ ତାଙ୍କ ପୁଅ ଅରୁଣ ଘରୁ ଏକ ଶାବଳ ଆଣି ପୁର୍ଣ୍ଣଚନ୍ଦ୍ର ମୁନି (୪୦) ଓ ତାଙ୍କ ପୁଅ ଅମରନାଥ ମୁନି (୧୭)ଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ। ସାହି ପଡୋଶୀ ଆହତ ବାପା ଓ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟ ବାପା ଓ ପୁଅଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀ ବାପା ଓ ପୁଅଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଶାବଳକୁ ଜବତ କରିଥିଲା। ଘଟଣା ନେଇ ଗୁରୁତର ଆହତ ପୁର୍ଣ୍ଣଚନ୍ଦ୍ରଙ୍କ ଝିଅ ପୁଜା ମୁନି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୦୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ବୁଧବାର ଆକ୍ରମଣକାରୀ ବାପା ଓ ପୁଅଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

nis-ad
Leave A Reply

Your email address will not be published.