ପ୍ରବଳ ବର୍ଷା: ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡିଲା ପୁରୀ ବଡଦାଣ୍ଡ

ଭୁବନେଶ୍ୱର: ଆଜି ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ  ପବନ ବହିପାରେ ।  ସେହିପରି ଆଜି  କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ତେବେ ଆଜି ହଠାତ୍ ବଦଳିଲା ପାଗ ।  ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ଭୁବନେଶ୍ୱର,ପୁରୀ, ଢେଙ୍କାନାଳ, ନରସିଂହପୁର ଓ ପିପିଲି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି ।

ଅଗ୍ନିଶମ ବାହିନୀ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ପ୍ରବଳ ବର୍ଷା ଯୋଗୁ ଜୟଦେବ ବିହାର ସ୍ଥିତ ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା ।  କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ସର୍ବାଧିକ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୮ କିଲୋମିଟର ରହିଥିଲା । ଏପଟେ ପ୍ରବଳ ବର୍ଷାରେ ବଡଦାଣ୍ଡରେ ପାଣିର ସୁଅ ଛୁଟି ଥିବା ମଧ୍ୟ ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.