ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ନିକଟସ୍ଥ ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ କାର୍ ପଛକୁ ଏକ ଟ୍ରକ୍ ଧକ୍କା ଦେଇଛି । ଦୂର୍ଘଟଣାରେ କାରର ପଛଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାରରେ ଯାତ୍ରା କରୁଥିବା ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଗାଡିକୁ ଥାନାକୁ ଆଣିଛି। ଟ୍ରକ୍ ଚାଳକ ଜଣଙ୍କ ପ୍ରଚୁର ମଦ୍ୟପାନ କରି ଗାଡି ଚାଳନା କରୁଥିବା ପରୀକ୍ଷାରୁ ଜଣାପଡିଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ମଦ୍ୟପ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମର ଗୁଡୁ ସାମଲ (୩୧) । ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଆସିକା ଠାରୁ ଏକ କାର୍ (ଓଡି୦୩ଭି ୩୦୬୯) ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କାର୍ ପଛରେ ଏକ ଧାନ ବୋଝେଇ ଟ୍ରକ (ଓଡି୦୭ଏଏଲ ୭୩୮୯)ଦୃତଗତିରେ ଆସି ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ କାର୍ ପଛକୁ ଧକ୍କା ଦେଇ ଚାଳକ ଟ୍ରକକୁ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୁଲିସ ଟ୍ରକକୁ ପିଛା କରି ଗାଡି ସହ ଚାଳକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।
