ବର୍ଷେ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ : ଯୌତୁକ ଦାବି କରିବା ମହଙ୍ଗା ପଡିଲା, ଦୋଷୀ ସାବ୍ୟସ୍ତ ହେଲେ ୩ ଅଭିଯୁକ୍ତ

ଛତ୍ରପୁର : ଯୌତୁକ ଜନିତ ହତ୍ୟା ହେଉ ବା ଯୌତୁକ ଜନିତ ନିର୍ଯ୍ୟାତନା ମାମଲା, ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି। ସେଇ ଭଳି ଏକ ମାମଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ ମସିହାରେ ଘଟିଯାଇଥିଲା; ଯେଉଁ ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସଡ଼ିଜେଏମ୍ ଶ୍ରୀ ପ୍ରୀତିଶ କୁମାର ରଥ ତିନି ଜଣ ଅଭିଯୁକ୍ତ ଶାନ୍ତିନଗର ନିବାସୀ ଶ୍ରୀ ଶଙ୍କର ବେହେରା, ଶ୍ରୀ ଚନ୍ଦ୍ରମଣି ବେହେରା ଓ ଶ୍ରୀମତୀ ବାସନ୍ତୀ ବେହେରାଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮କ, ୩୨୩, ୩୪ ତଥା ଯୌତୁକ ନିଷେଧ ଆଇନର ଧାରା ୪ ରେ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ ଚେତାବନୀ ଦେଇ ଜିଲ୍ଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରଖିବା ନିମନ୍ତେ ଆଦେଶ ଦେଇଛନ୍ତି। ଏହା ବ୍ୟତୀତ ଏକ ଉଦାହରଣ ପ୍ରତିଷ୍ଠା କରିବାକୁ ଯାଇ ଆଜି ମାନ୍ୟବର ଏସଡ଼ିଜେଏମ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ୩୦୦୦ ଟଙ୍କା ଜୋରିମାନା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ଓ ନିଜ ବିଚାରରେ ଉଲ୍ଲେଖ କରିଛନ୍ତି ଯେ, ଏହି ଅର୍ଥରାଶି ଅଭିଯୋଗକାରିଣୀ ଶ୍ରୀମତୀ ଅନିତା ମୁଦୁଲିଙ୍କୁ ପ୍ରଦାନ କରାଯିବ। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ, ୨୦୨୦ ମସିହା ଫେବ୍ରୁଆରୀ ୨୮ ତାରିଖ ଦିନ ଅଭିଯୋଗକାରିଣୀ ଅନିତା ମୁଦୁଲିଙ୍କର ବାହାଘର ଛତ୍ରପୁର ଶାନ୍ତିନଗର ନିବାସୀ ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରାଙ୍କର ପୁଅ ଶଙ୍କର ବେହେରାଙ୍କ ସହ ହୋଇଥିଲା। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ନଗଦ ଏକ ଲକ୍ଷ ଅଶୀ ହଜାର ଟଙ୍କା ଓ ଅନ୍ୟାନ୍ୟ ଘରକରଣା ଜିନିଷପତ୍ର ଆଦି କନ୍ୟାଘର ତରଫରୁ ବରପକ୍ଷଙ୍କୁ ଦିଆଯାଇଥିଲା। କିନ୍ତୁ ବିବାହର ଦୁଇମାସ ପରେ ଶାଶୁ ଶଶୁର ଓ ସ୍ୱାମୀ ଅଭିଯୋଗକାରିଣୀଙ୍କୁ ବାପଘରୁ ଆହୁରି ଅଧିକ ଦୁଇ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ପରେ ଅଭିଯୋଗକାରିଣୀଙ୍କ ଘର ପରିବାର ଲୋକ ଆସି ବୁଝାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା ଓ ଅଭିଯୋଗକାରିଣୀଙ୍କୁ ଓଲଟା ଧମକ ମଧ୍ୟ ଦିଆଯାଇଥିଲା। ଶେଷରେ ବାଧ୍ୟ ହୋଇ ଅଭିଯୋଗକାରିଣୀ ନିଜ ଘରକୁ ଚାଲିଆସିଥିଲେ ଓ ଛତ୍ରପୁର ଥାନାରେ ୦୮-୦୬-୨୦୨୨ରେ ଅଭିଯୋଗ କରିଥିଲେ ଯାହାକି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ବିଚାରାଧୀନ ରହିଥିଲା। ଛତ୍ରପୁର ଥାନାର ଏ.ଏସ.ଆଇ. ସବିତା ଖୁଣ୍ଟିଆ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଆଜି ୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଦେବା ସହ ବର୍ଷେ ପର୍ଯ୍ୟନ୍ତ ପ୍ରୋବେଶନ ଅଫିସରଙ୍କ ନଜରାଧୀନ ରହିବେ ବୋଲି ନିଜର ରାୟ ଦେଇଥିଲେ।

nis-ad
Leave A Reply

Your email address will not be published.