
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଦାୟିତ୍ଵ ଗ୍ରହଣ କରିବା ପର ଠାରୁ ଉପାନ୍ତ ଅଞ୍ଚଳରେ ଥିବା ଚାରି ଗୋଟି ପଞ୍ଚାୟତ ରଣବା, ଇନ୍ଦ୍ରଗଡ, ବଡବାରବା, କରଡା ପଞ୍ଚାୟତର ବିକାଶ କରିବା ନିମନ୍ତେ ଅଧିକ ଗୁରୁତ୍ଵ ଦେଉଛନ୍ତି । ଉକ୍ତ ପଞ୍ଚାୟତ ଅଞ୍ଚଳ଼ଗୁଡିକ ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ – ଗଞ୍ଜାମ ସୀମାନ୍ତରେ ରହୁଥିବାରୁ ଅଧିକାଂଶ ଅଞ୍ଚଳକୁ ଜଙ୍ଗଲ ଘେରା ପାଦଚଲା ରାସ୍ତା ଅତିକ୍ରମ କରି ପହଞ୍ଚିବାକୁ ପଡିଥାଏ । ଆଜି ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ, ରାଇକିଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ଭାଗ୍ୟରଥି ବାଗ, କନିଷ୍ଠ ଯନ୍ତ୍ରୀ ମୋହନଲାଲ ଭୂମିଜ, ବ୍ଲକ ପ୍ରୋଗ୍ରାମ କୋଡିନେଟର କମଳ ପ୍ରସାଦ ନାୟକଙ୍କ ସମେତ ଉକ୍ତ ପଞ୍ଚାୟତ ଗୁଡିକୁ ଗ୍ରସ୍ତକରି ଚାଲୁରହିଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରଣବା , ଇନ୍ଦ୍ରଗଡ, ବଡବାରବା ପଞ୍ଚାୟତ ପାଇଁ ପାନୀୟଜଳ ସମସ୍ୟା ଦୂର କରିବା ନିମନ୍ତେ ଡହରେ ଚାଲୁରହିଥିବା ମେଗା ଜଳ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ଇନଟେକ ୱେଲର କାର୍ଯ୍ୟ ଚାଲୁରହିଅଛି ଏବଂ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମାପନ ହେଲେ ପାନୀୟ ଜଳ ସମସ୍ୟାର ସଂପୂର୍ଣ୍ଣ ସମାଧାନ ହେବା କଥା ଯନ୍ତ୍ରି ସୂଚନା ଦେଇଛନ୍ତି । ସେହିପରି ଗ୍ରାମବାସୀଙ୍କ ସମସ୍ୟା ପଚାରିବୁଝିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେଇ ସମାଧାନ କରାଯିବ ବୋଲି ବିଡିଓ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।