ପହଲଗାଓଁ ଆକ୍ରମଣ ପରେ ବିଭିନ୍ନ ରାଷ୍ଟ୍ର ଭାରତକୁ ମାପିଚୁପି ନିଜର ସମର୍ଥନ ଜଣାଉଛନ୍ତି। କିନ୍ତୁ ଏହି ସମୟରେ ଭାରତର ପ୍ରକୃତ ବନ୍ଧୁ ରୁଷ ଖୋଲାଖୋଲି ସମର୍ଥନ ଜଣାଇଛି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରୁଷ ଘୋଷଣା କରିଛି। ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣକୁ ସେ ଦୃଢ଼ ଭାବେ ନିନ୍ଦା କରିବା ସହିତ ଏହା ପଛରେ ରହିଥିବା ଆତଙ୍କୀ, ଷଡ଼ଯନ୍ତ୍ରକାରୀଙ୍କୁ ନିହାତି ଭାବେ ଦଣ୍ଡିତ କରାଯିବା ଜରୁରୀ ବୋଲି ପୁଟିନ କହିବା ସହିତ ଏ କ୍ଷେତ୍ରରେ ଭାରତକୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଜଣାଇଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ ‘ଏକ୍ସ’ରେ ଏକ ପୋଷ୍ଟ କରି ପୁଟିନ ଏବଂ ମୋଦୀଙ୍କ ଆଲୋଚନା ସମ୍ପର୍କରେ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ରହିଥିବା ସହଯୋଗିତା ଏବଂ ଭାଗିଦାରିତାକୁ ଆହୁରି ଅଧିକ ମଜଭୁତ କରିବା ଲାଗି ଦୁଇ ଦେଶ ସହମତି ଜଣାଇଛନ୍ତି। ଆସନ୍ତା ୯ ତାରିଖରେ ମୋଦୀ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ପାକିସ୍ତାନ ସହିତ ଉତ୍ତେଜନା ଜାରି ରହିଥିବାରୁ ଗସ୍ତ ବାତିଲ କରାଯାଇଛି। ତେଣୁ ମୋଦୀ ପୁଟିନଙ୍କୁ ୮୦ତମ ବିଜୟ ଦିବସର ଶୁଭେଚ୍ଛା ଜଣାଇବା ସହିତ ଚଳିତ ବର୍ଷ ବାର୍ଷିକ ସମ୍ମିଳନୀକୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ପୁଟିନ ମୋଦୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଗସ୍ତ କରିବେ ବୋଲି କହିଛନ୍ତି।
