
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ଖାଲିକରୁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଭାରତ ଗ୍ରହଣ କରିବ ନାହିଁ। ଆମର ଏକ ଦୀର୍ଘକାଳୀନ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି।
ଜମ୍ମୁ-କାଶ୍ମୀରରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ କାଶ୍ମୀର କେବଳ ଦ୍ୱିପାକ୍ଷିକ ପ୍ରସଙ୍ଗ। ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ। ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା। ପାକିସ୍ତାନକୁ ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି କହିଛନ୍ତି।
ମେ’ ୧୦ରେ ପାକିସ୍ତାନରୁ ଫୋନ କଲ ଆସିଥିଲା। ଅସ୍ତ୍ରବିରତି ପାଇଁ ପାକିସ୍ତାନ ପ୍ରଥମେ ଅନୁରୋଧ କରିଥିଲା। ଭାରତର ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିଛି। ସିନ୍ଧୁ ଜଳ ଚୁକ୍ତି ସମ୍ପର୍କରେ ଭାରତର ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଅବିଶ୍ୱସନୀୟ କାର୍ଯ୍ୟ କରୁଥିବ ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ନିଷ୍ପତ୍ତି ସ୍ଥଗିତ ରହିବ। ସୀମାପାର ଆତଙ୍କୀଙ୍କୁ ସମର୍ଥନ ବନ୍ଦ ନ କରିବା ଯାଏଁ ନିଷ୍ପତ୍ତି ବଳବତ୍ତର ରହିବ। ଦ୍ୱିପାକ୍ଷିକ ଆଲୋଚନାରେ ନିଷ୍ପତ୍ତି ନିଆଯିବ।
ଅସ୍ତ୍ରବିରତି ସହିତ ଆମେରିକାକୁ ଯୋଡ଼ିବା ପ୍ରସଙ୍ଗରେ ବୈଦେଶିକ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ ଯେ ଭାରତ-ପାକିସ୍ତାନ ଉତ୍ତେଜନାବେଳେ ଆମେରିକା ସହ ଆଲୋଚନା ହୋଇନାହିଁ। ସେହି ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ହୋଇନାହିଁ। ଅସ୍ତ୍ରବିରତି ପାଇଁ ଭାରତୀୟ ସେନାର ପରାକ୍ରମ ବାଧ୍ୟ କରିଥିଲା। ପାକିସ୍ତାନ ଅନ୍ୟ ଉପାୟ ନ ପାଇ ଅସ୍ତ୍ରବିରତି ପ୍ରସ୍ତାବ ଦେଇଥିଲା ବୋଲି ସମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି।