ଡକାୟତି ଯୋଜନା ବେଳେ ମାଡି ବସିଲା ହିଞ୍ଜିଳି ପୁଲିସ୫ ଗିରଫ, ୨ ପିସ୍ତଲ, ୩ ଜୀବନ୍ତ ଗୁଳି ସମେତ ଶାବଳ, ହାତୁଡି, ଖଣ୍ଡା, କାତି, ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ…

ହତ୍ୟା, ଡକାୟତି, ଚୋରୀ, ରାହାଜାନୀ ଭଳି ସଙ୍ଗୀନ ଅପରାଧିକ ମାମଲାରେ ଜଡିତ ଗିରଫ ଅଭିଯୁକ୍ତ

ହିଞ୍ଜିଳିକାଟୁ, ୧୩।୫ (): ଗତ କିଛି ଦିନ ଧରି ୫ ଜଣ ଯୁବକ ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଆସୁଥିଲେ। ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପିତଳ ଛକରେ ଥିବା ଏକ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ପୂର୍ବରୁ ପ୍ରସ୍ତୁତି କରିଥିଲେ। ଏଟିଏମ୍ ଭାଙ୍ଗି ଲୁଟ୍ କରିବା ଯୋଜନା ମୁତାବକ ହିଞ୍ଜିଳି ଥାନା ବି. ନୁଆପଲ୍ଲୀ ଗ୍ରାମ ଛକରେ ଅବସ୍ଥାପିତ ବିଶ୍ରାମଗାରାରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ମାଡିବସି ଡକାୟତି ଯୋଜନା ପଣ୍ଡ କରିବା ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ହିଞ୍ଜିଳି କେନାଳ ସାହିର ଚିଣ୍ଟୁ ଦାସ (୨୩), ହିଞ୍ଜିଳି ଥାନା ସିକିରି ନୂଆଁସାହିର ହିନ ସାମଲ (୩୦), ବେଲଗାଁ ଥାନା ପଳାସି ବଡସାହିର ରାଜା ଗୈାଡ (୨୬), ଗାଙ୍ଗପୁର ଥାନା ନିମିନା ଗ୍ରାମର ରାକେଶ ମହାପାତ୍ର (୨୨) ଓ ଧରାକୋଟ ଥାନା ଢଉଗାଁ ଗ୍ରାମର ଗୋବିନ୍ଦ ବେହେରା (୩୧) । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଡକାୟତି ଯୋଜନା ପାଇଁ ବ୍ୟବହାର କରୁଥିବା ୨ଟି ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ୫ଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ (ଓଡି୦୭ ଏଏକ୍ସ ୨୪୦୫),ଶାବଳ, ହାତୁଡି, ଖଣ୍ଡା, କାତି, ୫ଟି କଳା ରଙ୍ଗର ମୁଖା ଓ ଲଙ୍କା ଗୁଣ୍ଡକୁ ପୁଲିସ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର – ୩୯୦/୨୫ ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଶେରଗଡ଼ କୋର୍ଲିଟ ଚାଲାଣ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମେତ ନିକଟସ୍ଥ ଥାନା ଅଞ୍ଚଳର ୫ ଜଣ ଯୁବକ ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ପିସ୍ତଲ ଧରି ଆତଙ୍କ ସୃଷ୍ଟି କରି ଆସୁଥିଲେ। ପୁଲିସ ସେମାନଙ୍କୁ କାବୁ କରିବା ପୂର୍ବରୁ କୌଶଳ କ୍ରମେ ଫେରାର ହେବାରେ ସକ୍ଷମ ହୋଇ ଯାଉଥିଲେ। ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ ସେମାନଙ୍କୁ କାବୁ କରିବା ପାଇଁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ବି. ନୂଆପଲ୍ଲୀ ଗ୍ରାମ ଛକରେ ଥିବା ବିଶ୍ରାମଗାରାରେ ୫ ଜଣ ଯୁବକ ଡକାୟତି ଯୋଜନା ପ୍ରସ୍ତୁତ କରୁଥିଲେ। କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଓ ତାଙ୍କ ଟିମ୍ ଅତର୍କିତ ଚଢ଼ାଉ କରି ୫ ଜଣ ଯୁବକଙ୍କୁ ଗିରଫ କରିବା ସହ ଡକାୟତି ଯୋଜନାକୁ ପଣ୍ଡ କରିବାପରେ ସକ୍ଷମ ହୋଇଥିଲେ। ଗିରଫ ଅଭିଯୁକ୍ତ ମାନଙ୍କୁ ଜେରା ସମୟରେ ସେମାନେ ହିଞ୍ଜିଳି ଥାନା ପିତଳ ଛକରେ ଥିବା ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଯୋଜନା କରୁଥିବା ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ବ୍ୟାଙ୍କ, ସୁନା ଅଳଙ୍କାର ଦୋକାନ, ଏଟିଏମ୍ ଭାଙ୍ଗିବା ସହ ହତ୍ୟା, ଚୋରୀ, ଡକାୟତି, ରାହାଜାନୀ ଭଳି ସଙ୍ଗୀନ ଅପରାଧିକ ଘଟଣା ଘଟାଇବା ସହ ନିଜର ଆଧିପତ୍ୟ ବିସ୍ତାର କରୁଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଡକାୟତି ଯୋଜନା ପାଇଁ ବ୍ୟବହୃତ ମାରଣାସ୍ତ୍ର ସମେତ ବହୁତ ସାମଗ୍ରୀ ଲୁଟ୍ କରିବାପରେ ସକ୍ଷମ ହୋଇଥିଲା । ପ୍ରକାଶ ଥାଉକି, ଗିରଫ ଚିଣ୍ଟୁ ନାମରେ ହିଞ୍ଜିଳି ଥାନାରେ ୭ଟି, ରାଜାଙ୍କ ନାମରେ ୨ଟି, ହିନଙ୍କ ନାମରେ ୬ଟି, ରାକେଶ ନାମରେ ଗୋଟିଏ ଓ ଗୋବିନ୍ଦଙ୍କ ନାମରେ ୬ଟି ହତ୍ୟା, ଡକାୟତି, ଚୋରୀ, ରାହାଜାନୀ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଅନ୍ୟାନ୍ୟ କୈାଣସି ଥାନାରେ କି କି ମାମଲା ରୁଜୁ ହୋଇଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଚଢ଼ାଉରେ ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସମେତ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁନିଳ କଣ୍ଡାଗୋରି, ଏଏସଆଇ ଅନନ୍ତ ଶବର, ବୈକୁଣ୍ଠନାଥ ଜେନା, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, କୈଳାଶ ମଲ୍ଲିକ, ଦଣ୍ଡପାଣି ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।