
ହିଞ୍ଜିଳିକାଟୁ : ଗୁରୁବାର ଅପରାହ୍ନରେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ, ୩ ଜଣ ଯୁବକ ଜୋରଜବରଦସ୍ତ ଅଟୋରୁ ଓହ୍ଲାଇ ଛୁରୀରେ ଆକ୍ରମଣ କରିବା ସହ ନିକଟସ୍ଥ ଚାଷଜମିକୁ ନେଇ ହତ୍ୟା ଉଦ୍ୟମ କରିଥିଲେ। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତ ଯୁବକ ଜଣଙ୍କ ଭଞ୍ଜନଗର ଥାନା ଗୁମ୍ଭାରୀଗୁଛା ଗ୍ରାମର ରବି ପ୍ରଧାନ। ଘଟଣା ନେଇ ଆହତଙ୍କ ଭିଣୋଇ ବୌଦ୍ଧ ଥାନା ଗମ୍ଭାରୀପଦର ଗ୍ରାମର ଶଙ୍କର ମହାଙ୍କୁଡ ଶୁକ୍ରବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର – ୩୯୯/୨୫ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ସହଯୋଗୀ ୨ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଯୁବକ ଜଣଙ୍କ ହେଲେ ରାଉରକେଲା ଗ୍ରାମର ସୁରଜ ଆପଟ। ଶନିବାର ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକଙ୍କୁ ଠାରୁ ଆକ୍ରମଣରେ ବ୍ୟବହୃତ ଛୁରୀକୁ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ସୁରଜ ଆପଟଙ୍କ ସ୍ତ୍ରୀ ସହ ରବି ପ୍ରଧାନଙ୍କ ପ୍ରେମ ସମ୍ପର୍କ ରହିଥିଲା। ସଂପୃକ୍ତ ଘଟଣା ସୁରଜ ଜାଣିପାରି ଗୁରୁବାର ଅପରାହ୍ନରେ ସୁରଜଙ୍କ ସ୍ତ୍ରୀ ଅପହରଣ ହୋଇଥିବା କହି ରବିଙ୍କୁ ଫୋନ୍ ଯୋଗେ କହିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଯିବାକୁ କହି ରବିଙ୍କୁ ଡାକିଥିଲେ। ସୁରଜ ଓ ରବି ବସ୍ ଯୋଗେ ଆସିକା ଠାରୁ ହିଞ୍ଜିଳିକାଟୁ ଆସି ଏକ ଯାତ୍ରୀବାହୀ ଅଟୋ ଯୋଗେ ତାରାତାରିଣୀ ଅଭିମୁଖେ ବାହାରିଥିଲେ। ଏକ ମୋଟର ସାଇକେଲ ଯୋଗେ ୨ ଜଣ ଯୁବକ ଆସି ହିଞ୍ଜିଳି – ସିକିରି ମଧ୍ୟବର୍ତ୍ତୀ ରାସ୍ତାରେ ଅଟୋକୁ ଅଟକାଇଥିଲେ। ସୁରଜ, ରବିଙ୍କୁ ଅଟୋ ଭିତରୁ ଧକ୍କା ମାରି ବାହାର କରିବା ପରେ ସୁରଜଙ୍କ ସହ ୨ ଜଣ ଯୁବକ ମିଶି ରବିଙ୍କୁ ମାଡ ମାରିଥିଲେ। ପରେ ସୁରଜ, ରବିଙ୍କୁ ନିକଟସ୍ଥ ଏକ ଚାଷଜମିକୁ ଟାଣିନେଇ ଏକ ଛୁରୀରେ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିଲେ। ଯୁବକଙ୍କ ଚିତ୍କାର ଶୁଣି ସଂପୃକ୍ତ ରାସ୍ତା ଦେଇ ଯାଉଥିବା କିଛି ଲୋକେ ଆହତଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରୁ ଆକ୍ରମଣକାରୀ ସୁରଜଙ୍କ ସମେତ ୨ ସହଯୋଗୀ କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଶନିବାର ଭୋରରେ ଆକ୍ରମଣକାରୀ ସୁରଜଙ୍କୁ ତାଙ୍କ ଶଶୁର ଘର ଗ୍ରାମ ଆସିକା ଥାନା ଅଞ୍ଚଳରୁ ଗିରଫ କରିଥିଲା। ଫେରାର ୨ ଯୁବକଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁ କହିଛନ୍ତି।