
କେନ୍ଦ୍ରାପଡ଼ା: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ । କୋଲକାତାରେ ବିବାହ କରେଇବାକୁ କହି ଅପହରଣ କରିଥିଲା ଅଭିଯୁକ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନର୍ଗତ ବାଉଳକାଣୀ ପଞ୍ଚାୟତ ଆମ୍ବବେଲାରୀ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗାଁର ବିଧାନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ନାବାଳିକା ଛାତ୍ରୀ ଜଣକ ତାଙ୍କ ମାମୁଁଙ୍କ ଘରେ ରହୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ସୁଦୂର କଲିକତାରେ ବିବାହ କରାଇ ଦେବାକୁ ନାବାଳିକାର ମାମୁଁଙ୍କୁ ବାଧ୍ୟ କରିଥିଲେ ।
କିନ୍ତୁ ଏହି ପ୍ରସ୍ତାବକୁ ସିଧା ସିଧା ମନା କରିଦେଇଥିଲେ ମାମୁଁ । କାରଣ ଭାଣେଜୀ ଦଶମ ଶ୍ରେଣୀରେ ପାଠ ପଡୁଛି ଏବଂ ବିବାହ ବୟସ ମଧ୍ୟ ହୋଇନାହିଁ । ଯାହାପରେ ବିଧାନ ଝିଅର ମାମୁଁଙ୍କୁ ଧମକ ମଧ୍ୟ ଦେଇଥିଲା । କିନ୍ତୁ ମାମୁଁ ଘର ଲୋକେ କୌଣସି କଥାରେ ରାଜି ନ ହେବାରୁ ଛାତ୍ରୀଙ୍କୁ ଅପହରଣ କରି ନେଇଯାଇଥିଲା ବିଧାନ ମଣ୍ଡଳ । ଝିଅ ସକାଳେ ମର୍ଣ୍ଣିଙ୍ଗ ୱାକରେ ଯାଇଥିବା ସମୟରେ ବାଇକରେ ବସିବାକୁ ବାଧ୍ୟ କରିଥିଲା । ଆଉ ଝିଅ ମନା କରିବାରୁ ମାମୁଁ ମାଇଁଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲା ।
ଯାହାପରେ ଝିଅ ଭୟଭୀତ ହୋଇ ବିଧାନ ସହ ଯାଇଥିଲା । ଯାହାପରେ ଝିଅକୁ ବସରେ ବସାଇ ଅନ୍ୟତ୍ର ପଠାଇଦେଇଥିଲା ଅଭିଯୁକ୍ତ ବିଧାନ । ଏହା ପରେ ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ଏକ ବନ୍ଦ କୋଠରୀରେ ଝିଅକୁ ରଖିଥିଲା । କିନ୍ତୁ ପରେ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ପାଇ ଝିଅକୁ ରାସ୍ତାରେ ଛାଡ଼ି ଫେରାର ହୋଇଯାଇଥିଲା ବିଧାନ । ଆଉ ଏହି ସମୟରେ ଝିଅର ନିଜ ଭିଣେଇଙ୍କ ସହ ଭେଟ ହୋଇଥିଲା । ଯାହାପରେ ସେ ନିଜ ଭିଣେଇକୁ ସବୁ ଘଟଣା କହିଥିଲା ଆଉ ଘରକୁ ଆସିଥିଲା ।
ପରିବାର ତରଫରୁ ଛାତ୍ରୀଙ୍କୁ ଉଦ୍ଧାର କରିବା ପରେ ଝିଅକୁ ନେଇ ଥାନାରେ ବୟାନ ଦେଇଥିଲେ ପରିବାର ଲୋକେ । ଅନ୍ୟପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଅଭିଯୁକ୍ତ ଫେରାର ଥିବା ବେଳେ ନ୍ୟାୟ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ତେବେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଛାତ୍ରୀ ଅପହରଣ ମାମଲା ସାମ୍ନାକୁ ଆସୁଛି । କେତେବେଳେ ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ତ କେତେବେଳେ କଲେଜ ଆଗରୁ ଛାତ୍ରୀଙ୍କୁ ଉଠାଇନେଲେ ଏମିତି ଅନେକ ଖବର ପ୍ରତିଦିନ ଆମେ ଶୁଣିବାକୁ ପାଉଛେ ।
କିନ୍ତୁ ଏଭଳି ଅପରାଧ କମିବ କଣ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଜିର ଏ ଘଟଣାରେ ଠିକ୍ ସମୟରେ ଝିଅ ଘରକୁ ଫେରିଆସିଛି ଯାହା ଏକ ବଡ ଅପରାଧକୁ ଏଡାଇ ଦେଇଛି କହିଲେ ଭୁଲ୍ ହେବନି । ତେବେ ଅଭିଯୁକ୍ତକୁ ଗିରଫ କରିବା ପରେ ହିଁ ନାବାଳିକାକୁ ଅପହରଣ କରିବାର ପ୍ରକୃତ କାରଣ ଓ ସତାସତ୍ୟ ସାମ୍ନାକୁ ଆସିବ ।