ମେଟାଲ୍ ବୋଝେଇ ଟିପ୍ଟର ସହ କାର୍ ଧକ୍କା, ମଦ୍ୟପ କାର୍ ଚାଳକ ଗିରଫ

youtube

ହିଞ୍ଜିଳିକାଟୁ, ୨୪।୫ : ଶୁକ୍ରବାର ବିଳମ୍ବିତ ରାତିରେ ୫୯ ନ° ଜାତୀୟ ରାଜପଥ ତଥା ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ନିକଟରେ ଏକ ମେଟାଲ୍ ବୋଝେଇ ଟିପ୍ପର ସହ ଏକ କାର ଧକ୍କା ଘଟିଛି। ଦୂର୍ଘଟଣାରେ କାର୍ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର ଗାଡିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସିତ କରିଛି। ପରୀକ୍ଷାରୁ କାର୍ ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚାଳନା କରୁଥିବା ପୁଲିସ କହିଛି । ମଦ୍ୟପାନ କରି ଗାଡି ଚାଳନା କରିବା ଅଭିଯୋଗରେ ପୁଲିସ ସଂପୃକ୍ତ କାର୍ ଚାଳକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ବନତୁମ୍ବା ଗ୍ରାମର ସୁରେଶ କୁମାର ମହାନ୍ତି (୪୩) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର -୪୨୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସିଙ୍ଗିପୁର ପାହାଡରୁ ଏକ ମେଟାଲ୍ ବୋଝେଇ ଟିପ୍ପର ହିଞ୍ଜିଳି ଅଭିମୁଖେ ଯାଉଥିଲା। ସେହି ସମୟରେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ କାର୍ (ଓଡି୦୨ଡିଏ ୨୯୪୭) ଦୃତ ଗତିରେ ଆସି ଆରଏମସି ଛକ ନିକଟରେ ମେଟାଲ ବୋଝେଇ ଟିପ୍ପରକୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ଜଣଙ୍କ ସାମାନ୍ୟ ଆହତ ହୋଇଥିଲେ। ଦୂର୍ଘଟଣା ପରେ ଟିପ୍ପରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥରୁ କାରକୁ ହଟାଇବା ସହ ଚାଳକଙ୍କୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.