
ବ୍ରହ୍ମପୁର : ସୁନ୍ଦରଗଡ଼ ଜିଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ବାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ ଏସ୍ଆଇଟି ଗଠନ କରାଯାଇଛି। ଉସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଭାଗୀୟ ଅଧିକାରୀଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି ଦୀର୍ଘଦିନ ଧରି ଜଙ୍ଗଲ ମଧ୍ୟରେ ଏହି ବେଆଇନ ଖଣି ଖନନ ଓ ଚାଲାଣ ଚାଲିଥିବା ସମ୍ବନ୍ଧିତ ରିପୋର୍ଟ ସଂଗ୍ରହ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ବିଶେଷକରି ଖଣି ଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି । ଖଣି ଦୁର୍ନୀତିର ମୂଳୋତ୍ପାଟନ କରାଯିବ ବୋଲି ସେ ବାରମ୍ବାର କହିଆସିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦାଫାସ୍ କରିବା ପାଇଁ ଭିଜିଲାନ୍ସକୁ ନିର୍ଦେଶ ଦେଇଛନ୍ତି।
ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ଜେନା ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଦୋଷୀ ଯେ କେହି ବି ହୋଇ ଥାନ୍ତୁ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ୍ ଟନ୍ରୁ ଅଧିକ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗ୍ରାମରେ ୩ଟି ରନ୍ସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗ୍ରାମରେ ଅବସ୍ଥିତ। ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଏଥିସହିତ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି ।
ସେହିପରି କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆଠାରେ 47ଟି ମାଙ୍ଗାନିଜ୍ ଓ 3ଟି ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି । ଏହି ମୋଟ ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗ୍ରାମରେ, ୧୦ଟି ମାଲଦା ଗ୍ରାମରେ, ୨୦ଟି କୋଲମଙ୍ଗ ଗ୍ରାମରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗ୍ରାମରେ ରହିଛି। ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ମାଙ୍ଗାନିଜ ଓର୍ ଏବଂ ୧୨୦୦ ମେଟ୍ରିକ୍ ଟନ୍ରୁ ଊର୍ଦ୍ଧ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି I ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ବେଆଇନ ଖଣି ଉତ୍ତଳନ ଖଣି ଓ ଖଣିଜ ପଦାର୍ଥ ର ବିକାଶ ଏବଂ ନିୟନ୍ତ୍ରଣ (MMDR) ନିୟମ ଖ୍ଲାପ କରୁଥିବାରୁ ଖଣିମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତଦନ୍ତ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାପାଇଁ ଭିଜିଲାକ୍ସ କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଖଣି ଖାଦାନକୁ ଯିଏ ବି ଲୁଟୁଛି, ଯେତେ ବଡ଼ ପ୍ରଭାଵଶାଳୀ ବ୍ୟକ୍ତି ରୁହନ୍ତୁ ନା କାହିଁକି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖଣି ମନ୍ତ୍ରୀ ।