ସମ୍ପର୍କରେ ରକ୍ତର ଛିଟା : ସାନଭାଇର ଧାରୁଆ ଅସ୍ତ୍ରରେ ବଡଭାଇ ଗୁରୁତର

youtube

ହିଞ୍ଜିଳିକାଟୁ : ମା’ ର ଭତ୍ତା ଟଙ୍କାକୁ କେନ୍ଦ୍ର କରି ୨ ଭାଇ ମଧ୍ୟରେ ଆକ୍ରମଣ ହୋଇଛି। ସାନଭାଇର ଆକ୍ରମଣରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମରେ ଘଟିଛି। ଅଭିଯୋଗ ପ୍ରକାରେ, ରବିବାର ଅପରାହ୍ନ ପ୍ରାୟ ୫ଟାରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମର ବିଜୟ କୁମାର ନାହାକ (୪୭) ଘର ସମ୍ମୁଖରେ ମାଆ ସୁଶୁମା ନାହାକ ସହ କଥା ହେଉଥିଲେ। ଏହି ସମୟରେ ବିଜୟଙ୍କ ସାନ ଭାଇ ପୂର୍ବ କଳହକୁ କେନ୍ଦ୍ର କରି ବଡଭାଇ ବିଜୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଉତ୍ୟକ୍ତ ହୋଇ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବିଜୟଙ୍କ ୨ ହାତ ଓ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବିଜୟଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ନାହାକ ଆସି ଆକ୍ରମଣକାରୀ ସାନଭାଇଙ୍କୁ ଆକ୍ରମଣ ନକରିବାପାଇଁ ନେହୁରା ହୋଇଥିଲେ। ପରେ ହତ୍ୟା ଧମକ ଦେଇ ଆକ୍ରମଣକାରୀ ସାନଭାଇ ଘଟଣା ସ୍ଥଳରୁ ଚାଲି ଯାଇଥିଲେ। ବିଜୟଙ୍କ ପୁତୁରା ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ବିଜୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।

Leave A Reply

Your email address will not be published.