
ଭୁବନେଶ୍ବର: ବଦଳିବ ରାଜଧାନୀର ଚଳଚଞ୍ଚଳ ଛକ ମାଷ୍ଟରକାଣ୍ଟିନର ନାଁ । ଖୁବ୍ ଶୀଘ୍ର ଏହାର ନାମ ପରିବର୍ତ୍ତନ କରାଯାଇ, ଓଡିଶାର ବରପୁତ୍ରଙ୍କ ନାଁରେ ନାମକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ । ଏନେଇ ବିଚାର ବିମର୍ଶ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ମନ୍ତ୍ରୀଙ୍କ କହିବାନୁଯାୟୀ, ମାଷ୍ଟରକ୍ୟାଣ୍ଟିନର ନାଁ ପରିବର୍ତ୍ତନ କରାଗଲେ, ଏହାର ନାମ ଓଡ଼ିଶାର ବରପୁତ୍ରଙ୍କ ନାଁରେ ନାମିତ କରାଯାଇପାରେ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ କହିରଖୁଛୁ, ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଇ ପୂର୍ବ ସରକାରଙ୍କ ଅନେକ ଯୋଜନାର ନାଁ ପରିବର୍ତ୍ତନ କରାଯାଇ, ବରପୁତ୍ରଙ୍କ ନାଁରେ ନାମିତ କରାଯାଇଛି । ଏହି ନିକଟରେ ସରକାର ‘ମୋ ବସ’ର ନାଁ ପରିବର୍ତ୍ତନ କରି ଏହାକୁ ‘ଆମ ବସ୍’ ରଖିଛନ୍ତି । ଏହି ଧାରାରେ, ଇଂରଜ ଅମଳର ନାଁକୁ ପୁନଃନାମକରଣ କରିବା ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇ କଳିଙ୍ଗ, ଉତ୍କଳ, ପାଇକ, ଜୟୀ ରାଜଗୁରୁ, ସହିଦ ଲକ୍ଷ୍ମଣ ନାଏକ ବା ବିଧାନସଭା ଛକରେ ନାମିତ କରିବାକୁ ସରକାରଙ୍କ ପାଖରେ ଦାବି ପହଞ୍ଚିଛି ।
ଏନେଇ ସୁପ୍ରିମକୋର୍ଟର ଆଇନଜୀବୀ ତଥା ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀ ଦାବି କରି କହିଛନ୍ତି, ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇବାର ଆବଶ୍ୟକତା ଅଛି । ରାଜଧାନୀର ଏହି ପ୍ରମୁଖ ଆଉ ଗୁରୁତ୍ୱପୂର୍ଣ୍ଣ ଛକର ନାଁରେ ଯେଭଳି ରାଜ୍ୟର ଗୌରବମୟ ଇତିହାସ, ସଂସ୍କୃତି, ପାରମ୍ପରିକ ମୂଲ୍ୟବୋଧ ପ୍ରତିବିମ୍ବ ପାଲଟିବ ସେଥିପାଇଁ ପଦକ୍ଷେପ ନିଆଯାଉ । ଏବେ ଯେଉଁ ନାଁ ରହିଛି, ତାହା ରାଜ୍ୟର ସମୃଦ୍ଧଶାଳୀ ସଭ୍ୟତାକୁ ପ୍ରତିନିଧିତ୍ୱ କରୁନି ବୋଲି ସେ ଅଭିଯୋଗ କରିଛନ୍ତି ।
ଗତ ୨୦୨୧ ମସିହାରୁ ଆଇନଜୀବି ରାଧାକାନ୍ତ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇବା ପାଇଁ ପ୍ରୟାସ କରି ଆସୁଛନ୍ତି । ନିକଟରେ ସେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି ଏହି ଦାବିକୁ ପୁଣି ଥରେ ଦୋହରାଇଥିଲେ । ତେବେ ଏହି ଥର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏନେଇ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି ।