
ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ଗ୍ରାମରୁ ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନଙ୍କ ଦ୍ଵାରା ୧୦ କେଜି ଚିତ୍ରା ହରିଣ ମାଂସ ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।ସେମାନେ ରୋହିବାଙ୍କ ଅରଖ ସାହିର ତୋଫାନ ପ୍ରଧାନ (୨୫), ଓ ବଡ଼ଭାଇ ପୀତବାସ ପ୍ରଧାନ(୩୦) । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ଏହି ଦୁଇ ଭାଇଙ୍କ ଘରେ ଚଢ଼ାଉ କରିଥିଲେ ।ଏହି ସମୟରେ ସେମାନେ ଏକ ବଡ଼ ଥାଳିରେ ପ୍ରାୟ ୧୦ କେଜି ମାଂସ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ଗୋଟିଏ କଟୁରୀ, ୨ଟି ଭୁଜାଲି ଜବତ କରିବା ସହିତ ମାଂସ ବିଷୟରେ ପଚରା ଉଚରା କରିଥିଲେ । ସେମାନଙ୍କ ସହିତ ସେହି ଗ୍ରାମର ଲୋଚନ ଖିଲାର (୫୦) ମିଶି ଏକ ଚିତ୍ରା ହରିଣ ଶିକାର କରିଥିବା କଥା ସ୍ବୀକାର କରିଛନ୍ତି।ବନ ବିଭାଗ କର୍ମଚାରୀ ମାନେ ଲୋଚନର ଘର ଓ ବିଭିନ୍ନ ସ୍ଥାନରେ ଖାନତଲାସ କରିଥିଲେ ମଧ୍ୟ ସେ ବନ୍ଧୁକ ଧରି କେଉଁଆଡେ ଫେରାର ହୋଇଯାଇଛି ।ଲୋଚନକୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକଙ୍କ ନିର୍ଦ୍ଦେଶରେ ବାନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟ ରଞ୍ଜନ ଦଳେଇ, ଦିପ୍ତିମୟୀ ରାଉତ ସହିତ ବନ ସୁରକ୍ଷା ଦଳ ଚଢ଼ାଉରେ ସାମିଲ ହୋଇଥିଲେ। ଏହାକୁ ନେଇ ବନ ବିଭାଗ ପକ୍ଷରୁ ୦୮/୨୦୨୫-୨୬ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି।