
ଭୁବନେଶ୍ବର: ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରାସ୍ତାରେ ଯିବା ସମୟରେ ଭିଡ଼ ସମୟରେ ଆମକୁ ଟ୍ରାଫିକ୍ରେ ଅଟକିବାକୁ ପଡୁଛି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। ଏଠାରେ ତୁଳସୀ ଗଛ ଲାଗିଲେ ଆହୁରି ଭଲ ହେବ। ତୁଳସୀ ଗଛ ଲାଗିଲେ ଟ୍ରାଫିକ୍ରେ କିଛି ସମୟ ପାଇଁ ଅଟକୁଥିବା ଲୋକଙ୍କୁ ଭଲ ଅମ୍ଲଜାନ ମିଳିପାରିବ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ‘ତୁଳସୀ’ର ମହାନତା ରହିଛି। ଅମ୍ଲଜାନ ଦେଉଥିବା ଗଛ ଗୁଡ଼ିକ ମଧ୍ୟରେ ଏହାର ମଧ୍ୟ ଶ୍ରେଷ୍ଠତା ଅଛି। ବାୟୁମଣ୍ଡଳରେ ଅମ୍ଲଜାନର ମାତ୍ରା ବଢ଼ାଇବାରେ ସହାୟକ ହେବ। ତେଣୁ ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହି ଅବସରରେ ସହରାଞ୍ଚଳର ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ଚିନ୍ତା କରାଯାଇଛି। ଆସନ୍ତା ୨୦ ତାରିଖ ଦିନ ଗୋଟିଏ ସମୟରେ ସମସ୍ତ ୟୁଏଲ୍ବିରେ ହଜାର ହଜାର ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଘର, କାର୍ଯ୍ୟାଳୟରେ ତଥା ସୁରକ୍ଷିତ ସ୍ଥାନରେ ତୁଳସୀ ଗଛ ସମେତ ଅଁଳା, ସଜନା, ବାରମାସୀ ଶାଗ ଗଛ ପ୍ରଭୁତି ଲଗାଇବାକୁ କୁହାଯାଇଛି।
ଅନ୍ୟପଟରେ ସହରାଞ୍ଚଳ ସଫେଇ କାମ ନେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁଠି ସଫେଇ ନ ହେଉଛି, ଆଉଟ୍ ସୋର୍ସିଂ ସଂସ୍ଥା ଦାୟୀ ରହିବେ। ଟର୍ମିନେଟ୍ କରି ନୂଆ ସଂସ୍ଥାକୁ ଦାୟିତ୍ବ ପାଇଁ କଡ଼ା ଚେତାବନୀ। ସହର ହେଉଛି ରାଜ୍ୟର ମୁଖଶାଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୁରୁତ୍ବ ଦେଉଛନ୍ତି। କାଲି ମୁଁ ନିଜେ କଟକ ଓ ଭୁବନେଶ୍ବରର ୱାଟର ଲଗିଂ ସ୍ଥାନ ବୁଲିଛି। ଆଜି ୧୫ଟି ୟୁଏଲ୍ବି ଉପରେ ସମୀକ୍ଷା କରାଯାଇଛି। ବର୍ଷା ଆସିବା ପୂର୍ବରୁ ସବୁ ଡ୍ରେନ୍ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।