ଇସ୍ରାଏଲ-ଇରାନ ଯୁଦ୍ଧ ଅଟକାଇଦେବି, ଯେମିତି ଭାରତ-ପାକ ଯୁଦ୍ଧ ଅଟକାଇଥିଲି : ଟ୍ରମ୍ପ

youtube

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଯେପରି ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଣିଛନ୍ତି, ସେହିପରି ସେ ଇସ୍ରାଏଲ  ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ମଧ୍ୟ ବନ୍ଦ କରିପାରିବେ। ତେବେ ଟ୍ରମ୍ପଙ୍କ ଏହି ବୟାନକୁ ନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କିଛିଦିନ ତଳେ ଟ୍ରମ୍ପ କହିଥିଲେ ଯେ ଯଦି ଇରାନ ପରମାଣୁ ଚୁକ୍ତି କରେ, ଇସ୍ରାଏଲର ଆକ୍ରମଣ ବନ୍ଦ ହୋଇଯିବ ।
ସେପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଏବଂ ସାମରିକ ଆକ୍ରମଣ ସମଗ୍ର ଅଞ୍ଚଳରେ ଉତ୍ତେଜନାକୁ ବିପଜ୍ଜନକ ସ୍ତରରେ ପହଞ୍ଚାଇ ଦେଇଛି। ଶନିବାର ଏବଂ ରବିବାର ଦିନ ହୋଇଥିବା ଦ୍ରୁତ ଆକ୍ରମଣରେ, ଇସ୍ରାଏଲର କେନ୍ଦ୍ରୀୟ ଜିଲ୍ଲାରେ ଅନେକ ଆବାସିକ କୋଠା ଧ୍ୱଂସାବଶେଷରେ ପରିଣତ ହୋଇଥିବା ବେଳେ, ଇସ୍ରାଏଲୀ ବାୟୁସେନା ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଇରାନର ରାଜଧାନୀ ତେହେରାନରେ ପରମାଣୁ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରିଥିଲା।
 ତେହେରାନରେ ବିସ୍ଫୋରଣ ପରେ, ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ‘ତେହେରାନ ଜଳୁଛି’ ଭଳି ବିବୃତ୍ତି ଆସିଥିଲା, ଅନ୍ୟପକ୍ଷରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଚେତାବନୀ ଦେଇଥିଲା ଯେ ଯଦି ଇସ୍ରାଏଲ ଆକ୍ରମଣ ଜାରି ରଖେ, ତେବେ ଜବାବ ଅଧିକ ତୀବ୍ର ଏବଂ ବ୍ୟାପକ ହେବ। ଏହି ସମୟରେ, ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ପରମାଣୁ ଆଲୋଚନା ବାତିଲ କରାଯାଇଥିଲା, ଯେଉଁଥିରେ ସମାଧାନର ଆଶା ଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣ ଜାରି ରଖିବ, ସେପର୍ଯ୍ୟନ୍ତ ସେମାନେ କୌଣସି ଆଲୋଚନାରେ ଅଂଶଗ୍ରହଣ କରିବେ ନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ପଡ଼ିବା ପରେ ଲେବାନନ ଭଳି ଦେଶରେ ଉତ୍ସବ ପାଳନର ରିପୋର୍ଟ ଆସିଥିଲା।

Leave A Reply

Your email address will not be published.