ଦୋକାନରୁ ଚୋରୀ ବେଳେ ମାଡିବସିଲେ ବ୍ୟବସାୟୀ : ଲୁଟେରାଙ୍କୁ କାବୁ କରି ଥାନାରେ ଜିମା ଦେଲେ

add-all

ହିଞ୍ଜିଳିକାଟୁ : ଗ୍ରାହକ ସାଜି ଆସୁଥିଲେ । ସୁବିଧା ସୁଯୋଗ ଉଣ୍ଡି ଦୋକାନ କ୍ୟାସବକ୍ସରୁ ଲୁଟି ନେଉଥିଲେ। ଚୋରୀ ଯୁବକ ଜଣଙ୍କ ଗତ ୨ ଥର ଲୁଟ୍ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ବେଳେ ତୃତୀୟ ଥର ଦୋକାନ ମାଲିକଙ୍କ ହାବୁଡ଼ରେ ପଡିଥିଲେ। ସ୍ଥାନୀୟ ବ୍ୟବସାୟୀ କାବୁ କରାଯାଇଥିବା ଚୋରଙ୍କୁ ଉତ୍ତମ ମଧ୍ୟମ କରିବା ପରେ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାବୁ କରାଯାଇଥିବା ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ହରି ଦାସ (୫୦)।
ପ୍ରକାଶ ଯେ, ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ହରି ଗତ ୧୫ ଦିନ ପୂର୍ବେ ହିଞ୍ଜିଳିକାଟୁ ପୈାରାଞ୍ଚଳ ମିନି ଷ୍ଟାଡିୟମ ସମ୍ମୁଖରେ ଥିବା ସିମାଞ୍ଚଳ ପାତ୍ରଙ୍କ ଟାୟାର ଦୋକାନକୁ ଗ୍ରାହକ ଭାବେ ଆସିଥିଲେ। ଭିନ୍ନ ଭିନ୍ନ ଟାୟାର ମୂଲ୍ୟ ବୁଝିବା ପରେ କୌଶଳ କରି ଦୋକାନ କ୍ୟାସବକ୍ସରୁ ୧୧ ହଜାର ୫ ଶହ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ପୁଣିଥରେ ସୋମବାର ଅପରାହ୍ନରେ ସେହି ଦୋକାନକୁ ଆସି କୌଶଳ କରି ଦୋକାନ କ୍ୟାସବକ୍ସରୁ ୩ ହଜାର ୫ ଶହ ଟଙ୍କା ଲୁଟି ନେଇ ଫେରାର ହେବାରେ ସକ୍ଷମ ହୋଇଥିଲେ। ୨ ଥର ଦୋକାନକୁ ଚୋରୀ ହେବା ପଛରେ ଦୋକାନୀ ମାଲିକ ସନ୍ଦେହ କରି ଦୋକାନରେ ସିସିଟିଭି କ୍ୟାମେରା ସଂଯୋଗ କରିଥିଲେ। ଶୁକ୍ରବାର ସକାଳେ ହରି ପୁଣିଥରେ ସିମାଞ୍ଚଳଙ୍କ ଦୋକାନକୁ ଆସି କ୍ୟାସବକ୍ସରୁ ଟଙ୍କା ଚୋରୀ କରୁଥିବା ବେଳେ ହଠାତ୍ ଦୋକାନ ମାଲିକ ଓ ନିକଟସ୍ଥ ଅଞ୍ଚଳର କିଛି ବ୍ୟବସାୟୀ କାବୁ କରିନେଇଥିଲେ। ସିସିଟିଭି ଫୁଟେଜରୁ ଚୋରୀ କରୁଥିବା ସ୍ପଷ୍ଟ ହେବାପରେ ଉତ୍ତମ ମଧ୍ୟମ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାବୁ କରାଯାଇଥିବା ଲୁଟେରାକୁ ଗିରଫ କରିଛି। ସଂପୃକ୍ତ ଦୋକାନରୁ ୩ଥର ଲୁଟ୍ କରିଥିବା ନେଇ ହରି ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଶନିବାର ଗିରଫ ହରିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।‌

ad-week
Leave A Reply

Your email address will not be published.