ରାସ୍ତା ନୁହେଁ ସତେ ଯେମିତି ମାଛ ଚାଷ ପୋଖରୀ ! ମାଲକାନଗିରିରେ ଖାଲଖମା ରାସ୍ତାରେ ମାଛ ଛାଡ଼ି ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ମାଲକାନଗିରି: ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ମାଲକାନଗିରି ପୌରାଞ୍ଚଳର ଏମଭି-୪୩ ଗ୍ରାମବାସୀ। ରାସ୍ତା ଉପରେ ଜମିଥିବା ଆଣ୍ଠୁଏ ଉଚ୍ଚର କାଦୁଅ ପାଣିରେ ମାଛ ଯାଆଁଳ ଛାଡ଼ିବା ସହ ଜାଲ ପକାଇ ମାଛ ଧରି ପ୍ରଶାସନର ନିଦ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି।
ମାଲକାନଗିରି ପୌରାଞ୍ଚଳର ରିକ୍ଲାମେସନ କଲୋନୀ ଠାରୁ ଏମଭି-୪୩ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ମୃତ୍ୟୁର ଯନ୍ତା ପାଲଟିଛି। ରାସ୍ତା ସାରା ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି, ଯାହାଫଳରେ ଏହା ଏକ ପଙ୍କମୟ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଉପରେ ୨୦ରୁ ଅଧିକ ଗ୍ରାମର ଶହ ଶହ ଲୋକ ପ୍ରତିଦିନ ନିର୍ଭର କରିଥାନ୍ତି। ବିଶେଷକରି, ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରଶାସନର ଏଭଳି ଅନିୟମିତତା ବିରୋଧରେ ସ୍ୱର ଉତ୍ତୋଳନ କରି ଗ୍ରାମବାସୀମାନେ ଏହି ନିଆରା ପ୍ରତିବାଦର ପନ୍ଥା ଆପଣାଇଛନ୍ତି। ଯଦି ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନ ନିଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।