ରଥଯାତ୍ରା ସୁପରିଚାଳନା ପାଇଁ ନୂଆ ଦାୟିତ୍ୱ: ବରିଷ୍ଠ IAS ଅରବିନ୍ଦ ଅଗ୍ରୱାଲଙ୍କ ତଦାରଖରେ ହେବ ବାକି ନୀତି

youtube

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଡ଼ ପରିଚାଳନାରେ ବିଫଳତା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି। ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ନୂଆ ଏସ୍‌ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଭକ୍ତଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଘଟଣାର ସମ୍ପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, ଯାହାର ତଦାରଖ ଉନ୍ନୟନ କମିଶନର କରିବେ।

ଆଗାମୀ ନୀତିକାନ୍ତିକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରାର ସମସ୍ତ ପରିଚାଳନା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୦୭ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର କମିଶନର ଓ ସଚିବ ଥିବାବେଳେ ନିଜ ଦାୟିତ୍ୱ ସହ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।

ଅନ୍ୟପଟେ, ଶରଧାବାଲିରେ ତିନି ରଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଅପରାହ୍ନ ୫ଟା ପରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ଗତବର୍ଷର ଅଘଟଣକୁ ଦୃଷ୍ଟିରେ ରଖି ପହଣ୍ଡି ପାଇଁ ସ୍ୱତନ୍ତ୍ର କଟକଣା ଲାଗୁ କରାଯାଇଛି। ଉତ୍ତମ ସମନ୍ୱୟ ରଖି ନୀତି ସମ୍ପନ୍ନ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି। ଆଡ଼ପ ବିଜେ ପରେ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ଆଡ଼ପ ଅବଢ଼ା ମିଳିପାରିବ।

Leave A Reply

Your email address will not be published.