ରାଏବଗାରେ ଅଭାବନୀୟ ଘଟଣା: ପୋଖରୀରେ ବୁଡ଼ି ମହିଳା ମୃତ, ମୃଗୀ ରୋଗ ସନ୍ଦେହ…

youtube

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧୀନସ୍ଥ ମୋଝାପୋଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ବାସନ୍ତୀ ସୋରେନ୍ (୩୬)।

ମିଳିଥିବା ସୂଚନା ଅନୁଯାୟୀ, ବାସନ୍ତୀ ଆଜି ସକାଳ ପ୍ରାୟ ୭ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ଘରକୁ ନ ଫେରିବାରୁ ତାଙ୍କ ପୁଅ ମହେଶ ସୋରେନ୍ ତାଙ୍କୁ ଖୋଜିବାକୁ ପୋଖରୀକୁ ଯାଇଥିଲେ। ସେଠାରେ ସେ ତାଙ୍କ ମା’ଙ୍କୁ ପାଣିରେ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ସେ ତାଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଏବଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଗ୍ରାମବାସୀଙ୍କ କହିବା ଅନୁସାରେ, ବାସନ୍ତୀ ଦୀର୍ଘଦିନ ଧରି ମୃଗୀ ରୋଗରେ (ଅପସ୍ମାର) ପୀଡ଼ିତ ଥିଲେ। ଗାଧୋଇବା ସମୟରେ ହଠାତ୍ ରୋଗ ବାହାରିବାରୁ ସେ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି।

ଏହି ଘଟଣା ସମ୍ପର୍କରେ ପୁଅ ମହେଶ ରାଏବଗା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପ୍ରହ୍ଲାଦ କୁମାର ପ୍ରଧାନ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.