
ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ପରେ ଏବେ ମେୟରଙ୍କୁ ଘାରିଛି ବିଏମସି ଅଫିସ ସୁରକ୍ଷା ଚିନ୍ତା । ଏନେଇ ମେୟର ସୁଲୋଚନା ଦାସ ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର ।
ଆଜି ଅଫିସ୍ରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଛିଡ଼ା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନ୍ମ୍ୟାନ୍ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି, ତେବେ କାହିଁକି ରହିବେ । ସେହିପରି ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ୍ କରିଛନ୍ତି । ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହିଁକି ଜଣାଇ ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲୋଚନା । ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ବ କାଢ଼ି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି ସେ ଦାବି କରିଛନ୍ତି ।
ଏଥିସହିତ ସେ ଏହାବି ଦାବି କରିଛନ୍ତି, ଯେ, ବିଏମସି ଆକ୍ରମଣରେ ଯିଏବି ମାଷ୍ଟର ମାଇଣ୍ଡର ତାକୁ ଗିରଫ କରାଯାଉ । ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ ? ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ସୁଲୋଚନା । ଏଥିସହିତ ମେୟର ହିସାବରେ ସେ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ବି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ।
ତେବେ ଆଜି ବିଏମସି ଅତିରିକ୍ତ କମିଶନର୍ଙ୍କୁ ଆକ୍ରମଣ ଘଟଣାରେ ବିଏମସି ଅଫିସ୍ରେ ପୋଲିସ କମିଶନର୍ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ମେୟର, କିଛି କର୍ପୋରେଟରଙ୍କ ସମେତ ଆକ୍ରମଣର ଶିକାର ଅତିରିକ୍ତ କମିଶନର୍ ରତ୍ନାକର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ଘଟଣା ବାବଦରେ ପୋଲିସ କମିଶନରଙ୍କ ସେମାନଙ୍କୁ ପଚରାଉଚରା କରିଥିବା ସୂଚନା ରହିଛି ।
ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି କରି ବିଭିନ୍ନ ସ୍ଥାନରେ ଅଫିସରେ ଯୋଗ ଦେଇନାହାନ୍ତି ଓଏଏସ୍ ଅଫିସର । ଯେଉଁକାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନ୍ୟପକ୍ଷରେ ଓଏଏସ ଅଫିସରଙ୍କ ସମୂହ ଛୁଟି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏକ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ମନ୍ତ୍ରୀମାନଙ୍କୁ ନେଇ ବୈଠକ କରିଛନ୍ତି । ଯେଉଁଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭୂତି ଜେନା ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ସୂଚନାଯୋଗ୍ୟ, ସୋମବାର ବିଏମସି ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏହି ଘଟଣା ପରେ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିଶନର ରତ୍ନାକର ସାହୁ।