ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ନବୀନ

add-all

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର ଏକ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଡିସଚାର୍ଜ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ତାଙ୍କର ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କିଛି ଦିନ ମୁମ୍ବାଇରେ ରହିବେ। ଭୁବନେଶ୍ବର ଫେରିବା ନେଇ ଶ୍ରୀ ମିଶ୍ର ନିର୍ଦ୍ଧିଷ୍ଟ ସମୟ ସଂପର୍କରେ ସୂଚନା ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ୨୦୨୫ ଜୁନ୍‌ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।
ନବୀନ ପଟ୍ଟନାୟକଙ୍କ ନିଜର ଅସୁସ୍ଥତା ସଂପର୍କରେ ସାମାଜିକ ଗଣମାଧ୍ୟମରେ ଟୁଇଟ୍‌ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌ଏନେଇ ଚିନ୍ତାପ୍ରକଟ କରିଥିଲେ। ନବୀନ ପଟ୍ଟନାୟକ ଶୀଘ୍ର ସୁସ୍ଥ ‌ହୋଇ ଫେରି ଆସନ୍ତୁ ବୋଲି କହିଥିଲେ। ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଥିଲେ।
ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ପୂଜାର୍ଚ୍ଚନା କରିଥିଲେ। ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।

ad-week
Leave A Reply

Your email address will not be published.