ମନମୋହନ ପୁଣି ରାଜ୍ୟ ବିଜେପି ସଭାପତି – କେବଳ ଘୋଷଣା ବାକି !

youtube

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ପାଇଁ ମନମୋହନ ସାମଲ ଆଜି ଏକ ମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଏହି ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏହା ପରେ ଆସନ୍ତାକାଲି ବିଜେପି ସଭାପତି ଘୋଷଣା ହେବ। ରାଜ୍ୟ ସଭପତି ପାଇଁ ଏକ ମାତ୍ର ପ୍ରାର୍ଥିପତ୍ର ମନମୋହନ ସାମଲ ଦାଖଲ କରିଛନ୍ତି। ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କମ୍ଭୁପାଣି ସାମଲ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳା ଏବଂ ଓକିଲାତିରେ ସ୍ନାତକ। ସେ ପ୍ରଣତୀ ସାମଲଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ। ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏଥିସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ଥିଲା ଓ ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେ ରାଜ୍ୟ ବିଜେପିର ସଭାପତି ଭାବେ ଏକାଧିକ ଥର କାର୍ଯ୍ୟ କରିଛନ୍ତି।
ବିଧାନସଭା ନିର୍ବାଚନ-୨୦୨୪ରେ ବିଜେପି ତରଫରୁ ମନମୋହନ ସାମଲଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ସେ ଏହି ନିର୍ବାଚନ ସମୟରେ ରାଜ୍ୟ ସଭାପତି ଭାବେ ଦିନରାତି ଏକା କରିଦେଇଥିଲେ। ତାଙ୍କର ପ୍ରୟାସ ଓ ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ କାରଣରୁ ୨୪ ବର୍ଷର ବିଜେଡି ସରକାର ଭାଙ୍ଗିଥିଲା। ଏହା ପରେ ବିଜେପି ସରକାର ଗଢ଼ିଛି।
ସୂଚନାଯୋଗ୍ୟ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ତତ୍ତ୍ଵାବଧାନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଜାରି ଥିଲା। ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜନୀତିରେ ମନମୋହନ ସାମଲ ଜଣେ ଜଣାଶୁଣା ମୁହଁ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ଦୀର୍ଘ ୮ ବର୍ଷ କାମ କରିବାର ତାଙ୍କର ଅଭିଯଜ୍ଞତା ରହିଛି। ଓଡ଼ିଶା ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବିଧାନସଭା ନିର୍ବାଚନ-୨୦୦୪ରେ ସେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ସଂକ୍ଷେପରେ ମନମୋହନ
୧୯୭୮: ୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି
୧୯୭୯-୮୧: ଏବିଭିପି ରାଜ୍ୟ ସମ୍ପାଦକ
୧୯୮୧-୮୨: ଏବିଭିପିର ରାଜ୍ୟ ଉପସଭାପତି
୧୯୮୩: ଧାମନଗର ନିର୍ବାଚନମଣ୍ଡଳୀ ସଭାପତି
୧୯୮୪: ବିଜେପି ଜିଲ୍ଲା ସମ୍ପାଦକ, ବାଲେଶ୍ବର
୧୯୯୦-୯୨: ବିଜେପି ରାଜ୍ୟ ସମ୍ପାଦକ
୧୯୯୨-୯୯: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ
୧୯୯୯-୨୦୦୪: ରାଜ୍ୟ ବିଜେପି ସଭାପତି
୨୦୦୦: ରାଜ୍ୟସଭା ସାଂସଦ
୨୦୦୪-୨୦୦୯: ଧାମନଗର ବିଧାୟକ ସହ ରାଜ୍ୟ ସରକାରରେ ମନ୍ତ୍ରୀ
୨୦୧୦-୨୦୧୨: ରାଜ୍ୟ ସାଧାରଣ ସମ୍ପାଦକ
୨୦୨୩: ରାଜ୍ୟ ବିଜେପି ସଭାପତି

Leave A Reply

Your email address will not be published.