ଅଗଷ୍ଟ ମାସରେ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

youtube

ପୁରୀ : ଅଗଷ୍ଟ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ହୋଇପାରେ । ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖାଯିବ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଦୁଇ ଜଣ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ଆସିବା ପାଇଁ ଚିଠି ଲେଖାଯିବ । ସ୍ଵତନ୍ତ୍ର ଏସଓପି ଅନୁଯାୟୀ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ । ଏହା ପରେ ଅସ୍ଥାୟୀ ଖଟ ଶେଯ ଓ ଫୁଲ ଶେଯ ଘରେ ଥିବା ରତ୍ନ ଅଳଙ୍କାର ଭିତର ଓ ବାହାର ରତ୍ନଭଣ୍ଡାରକୁ ଅଣାଯିବ। ଅଗଷ୍ଟ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ହୋଇପାରେ । ୧୯୭୮ ମସିହା ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ତାଲିକା ସହ ମେଳ କରାଯିବ ।

ସୂଚନା ଅନୁଯାୟୀ ନୀଳାଦ୍ରିବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷହୋଇଛି  । ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି  । ଚାବିଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ରଖାଯାଇଛି। ରତ୍ନଭଣ୍ଡାର ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅତି କମ୍‌ରେ ଏହା ୨ଶହ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ରହିଥିବା ରତ୍ନ ଅଳଙ୍କାର ରତ୍ନଭଣ୍ଡାରକୁ ଅଣାଯିବ ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି କିମ୍ବା ଦର୍ଶନ ବ୍ୟାଘାତ ନକରି କାମ କରାଯାଇଛି ।  ଅନେକ ଦିନ ୧୬ରୁ ୧୭ ଘଣ୍ଟା କାମ ହୋଇଛି। ଏହା ଆମପାଇଁ ଏକ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.