
ଭୁବନେଶ୍ୱର: ଓଡିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଝଡ଼ବର୍ଷା ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା/ବଜ୍ରପାତ ହୋଇପାରେ।
ପାଣିପାଗ ସଂସ୍ଥା ଅନୁଯାୟୀ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି ଏବଂ ଆଗାମୀ ୨ ଦିନ ମଧ୍ୟରେ ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରିବ ବୋଲି ଆଶା କରାଯାଉଛି। ଯାହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ଝଡ଼ବର୍ଷା ହୋଇପାରେ। ସେହି ସମୟରେ ସମୁଦ୍ର ଅଶାନ୍ତ ମଧ୍ୟ ରହିବ।
ଜୁଲାଇ ୧୩ରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହା ଆହୁରି ଚାରି ଦିନ ପର୍ଯ୍ୟନ୍ତ ଜାରି ରହିପାରେ। ଜୁଲାଇ ୧୦-୧୧-୧୨-୧୩ରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କିମି. ବେଗରେ ପବନ ବହିବା ସହିତ ଝଡ଼ବର୍ଷା/ବଜ୍ରପାତ ହୋଇପାରେ।
ସେହିପରି ଜୁଲାଇ ୧୩ରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହିତ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ଜାରି ରହିପାରେ। ତା’ପରେ ପାଣିପାଗରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି।