ସୁକାନ୍ତ ଖଟୁଆଙ୍କୁ ଗିରଫ ପାଇଁ ଦାବି କଲା ବିଜେଡି

youtube

ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା ଶୁଣାଇଛନ୍ତି । ସୁକାନ୍ତଙ୍କୁ ବିରୋଧ କରି ରାଜମହଲ ଛକରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ରାଲି କରି ନୀଳଗିରି ବିଧାୟକ ସୁକାନ୍ତ ଖଟୁଆଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । କିଛିଦିନ ତଳେ ବାଲେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାଦରଙ୍କୁ ନୀଳଗିରି ବିଧାୟକ ସୁକାନ୍ତ ଖଟୁଆ ଗଣମାଧ୍ୟମରେ ଅଶାଳୀନ ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ ବିଜେଡି ମହିଳା କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇଥିଲେ । ରାଜମହଲରୁ ମହିଳାମାନେ ଶୋଭାଯାତ୍ରା କରି ମାଷ୍ଟରକ୍ୟାଂଟିନ ଛକରେ ସୁକାନ୍ତ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ତୁରନ୍ତ ସୁକାନ୍ତ ଖଟୁଆଙ୍କୁ ଗିରଫ କରାଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଥିଲା । ସୁକାନ୍ତଙ୍କୁ ଗିରଫ ସହ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ କୁହାଯାଉ ବୋଲି ବିଜେଡି ନେତ୍ରୀମାନେ କହିଥିଲେ । ଯଦି ପ୍ରଶାସନ ଏଥିରେ ଅବହେଳା କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.