
ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ତରଫରୁ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଓ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଯୋଗଦେଇ ୧୭ଟି ନୂତନ ଫିସରୀ କ୍ଲଷ୍ଟର ଉଦ୍ଘାଟନ କରିଥିଲେ । ଏଥିସହ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ପ୍ରଶିକ୍ଷଣ କ୍ୟାଲେଣ୍ଡର, ବିହନ ପ୍ରମାଣିକରଣ ଓ ହାଚେରୀ ଗାଇଡ୍ଲାଇନ୍ ଏବଂ ସିଫାର ପ୍ରଯୁକ୍ତି ପୁସ୍ତକକୁ ଲୋକାର୍ପଣ କରିଥିଲେ । ଭାରତର ମତ୍ସ୍ୟଚାଷ କ୍ଷେତ୍ରରେ ଭିତ୍ତିଭୂମି ଓ ବିକାଶକୁ ବୃଦ୍ଧିକରିବା ପାଇଁ ମନ୍ତ୍ରୀ ଶ୍ରୀସିଂହ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ଅବସରରେ କିଷାନ କ୍ରେଡିଟ୍ କାର୍ଡ ଏବଂ ଜଳକୃଷି ବୀମା ଯୋଜନା ଅଧିନରେ ପାରମ୍ପରିକ ମତ୍ସ୍ୟଜୀବୀ, ଏଫ୍ଏଫ୍ପିଓ ଷ୍ଟାର୍ଟଅପ୍ ହିତାଧିକାରୀ ମାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା ଅଧିନରେ ନବସୃଜନ କ୍ଷମତା ନିର୍ମାଣ ଓ ସହାୟତା ମାଧ୍ୟମରେ ମତ୍ସ୍ୟକ୍ଷେତ୍ରକୁ ବଳିଷ୍ଠ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଗତ ଦଶନ୍ଧିରେ ମତ୍ସ୍ୟ ଉତ୍ପାଦନ ୧୦୩ ପ୍ରତିଶତ ବୃଦ୍ଧି ପାଇଛି । ମତ୍ସ୍ୟଚାଷୀଙ୍କର ଜୀବିକା ନିର୍ବାହର ବିକାଶ, ଖାଦ୍ୟ ନିରାପତ୍ତା ଅଭିବୃଦ୍ଧି, ମୂଲ୍ୟଶୃଙ୍ଖଳର ଦୃଢ଼ତା, ସାମାଜିକ ନିରାପତ୍ତା, ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା ଆଦି ଦେଶର ସମସ୍ତ ମତ୍ସ୍ୟଚାଷୀମାନଙ୍କୁ ସରକାର ଯୋଗାଇଦେବା ପାଇଁ ବଦ୍ଧ ପରିକର ବୋଲି ସେ ପ୍ରକାଶ କରିଥିଲେ । କୃଷକ ମାନଙ୍କର କ୍ଷମତା ଅଭିବୃଦ୍ଧି ଓ ମୁକ୍ତାଚାଷ, ପାବ୍ଦା ମାଛଚାଷ, ଜୈବିକ ମତ୍ସ୍ୟଚାଷ ଓ ସେଉଳ ମାଛଚାଷର ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଡାଏରୀ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର୍ ଏସ୍.ପି. ସିଂ ବାଘେଲ ଏବଂ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଯୋଗଦେଇ ଚାଷୀମାନଙ୍କୁ ସଶକ୍ତ କରିବା ଓ ସ୍ଥାୟୀ ଜଳକୃଷିକୁ ପ୍ରୋତ୍ସାହିତ କରିବାରେ ସିଫାର ଅବଦାନକୁ ପ୍ରଶଂସା କରିଥିଲେ । ନୀଳ ବିପ୍ଳବ ଏବଂ ପ୍ରଯୁକ୍ତି ହସ୍ତାନ୍ତର ଉପରେ ମନ୍ତ୍ରୀଦ୍ୱୟ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଯୋଗଦେଇ ଜଳକୃଷିରେ ଓଡ଼ିଶାର ଅବଦାନ ଉପରେ ଗୁରୁତ୍ୱ ଦେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଏଫ୍ଏଆର୍ଡି ବିଭାଗର ପ୍ରଧାନ ସଚିବ ଏସ୍.କେ. ବଶିଷ୍ଠ, ମତ୍ସ୍ୟ ସଚିବ ଅଭିଲକ୍ଷ ଲିଖି, ଆଇ.ସି.ଏ.ଆର୍ ଉପ-ମହାନିର୍ଦ୍ଦେଶକ ଡ଼ଃ ଜେ.କେ. ଜେନା, ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ଃ ବି.କେ. ବେହେରା, ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ସାଗର ମେହେରା ଓ ନିତୁ କୁମାରୀ ପ୍ରସାଦ ଏବଂ ସିଫାର ନିର୍ଦ୍ଦେଶକ ଡ଼ଃ ପି.କେ. ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସେଠାରେ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ, ମତ୍ସ୍ୟଜୀବୀ ଷ୍ଟାର୍ଟଅପ୍ ଏବଂ ମହିଳା ମତ୍ସ୍ୟଜୀବୀ ଗୋଷ୍ଟୀ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୧୫ଶହରୁ ଉର୍ଦ୍ଧ ମତ୍ସ୍ୟଚାଷୀ, ମହିଳା କୃଷିଜୀବୀ, ପ୍ରଗତିଶୀଳ ମତ୍ସ୍ୟଜୀବୀ, ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଯୋଗଦେଇଥିଲେ ।