
ଭୁବନେଶ୍ବର: ମହାଶିବରାତ୍ରିରେ ମହାଦୀପ ଉଠାଇବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରରୁ ଜଣେ ସେବାୟତ ତଳେ ପଡି ଆହତ ହେବା ଘଟଣା । ଏହାକୁ ଅତି ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) । ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ଚିଠି ଲେଖି ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ(ଏଟିଆର) ଦେବାକୁ କୁହାଯାଇଛି ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ଶ୍ରୀ ଅଖଣ୍ଡ ଏହି ଘଟଣ ସମ୍ପର୍କରେ ଏନଏଚଆରସିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ଆୟୋଗ ଖୋର୍ଦ୍ଧା ଜିଲ୍ଲାପାଳ ଓ ଓଡ଼ିଶା ସରକାରର ଗୃହ ବିଭାଗ ସ୍ଵତନ୍ତ୍ର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଖୋର୍ଦ୍ଧା ଜିଲ୍ଲାପାଳ, ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ କରିଥିବା ନୋଟିସକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ନିକଟକୁ ପଠାଇଛନ୍ତି ।
ଏହି ମାମଲାର ଶୁଣାଣି ଜୁଲାଇ ୨୧ରେ ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ଶୁଣାଣି ହେବ । ଏଥିପାଇଁ ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷ ଯଥା ଅଭିଯୋଗକାରୀ, ଆହତ ବ୍ୟକ୍ତି ଓ ତାଙ୍କ ପ୍ରତିନିଧି ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ,୨୦୨୫ ଫେବୃଆରୀ ୨୬ ତାରିଖ ରାତିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରିରେ ମହାଦୀପ ଉଠାଇବା ବେଳେ ଯୋଗେନ୍ଦ୍ର ସମର୍ଥା ନାମକ ଜଣେ ସେବାୟତ ପ୍ରାୟ ୨୦ ଫୁଟ୍ ଉଚ୍ଚତାରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ । ତୋଙ୍କର ଗୋଟିଏ ଗୋଡ ଭାଙ୍ଗିଯାଇଥିଲା ।
ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ୨ ଜଣ ସେବାୟତ ଓ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ତେଲ ପଡ଼ି ଯିବାରୁ ସେମାନେ ମଧ୍ୟ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା ।