
ହିଞ୍ଜିଳିକାଟୁ : ଗତ ୧୮ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଗ୍ରାମ ପଞ୍ଚାୟତର ସଭାପତି ରାମରାଘବ ପାତ୍ର @ରିଙ୍କୁ (୩୫) ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ (୪୭)ଙ୍କୁ କିଛି ଯୁବକ ଠେଙ୍ଗା ଓ ଲୁହାରଡରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ନେଇ ସରପଞ୍ଚ ରିଙ୍କୁଙ୍କ ବାପା ପ୍ରମୋଦ କୁମାର ପାତ୍ର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୪୯୨/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ୨୦ ତାରିଖ ରାତିରେ ଘଟଣାରେ ସଂପୃକ୍ତଥିବା ୪ ଜଣଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ୍, ବାଇକ୍ ଓ ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଜବତ କରି ଗିରଫ ମାନଙ୍କୁ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ୯ ତାରିଖରେ ଘଟଣାରେ ସଂପୃକ୍ତଥିବା ଅନ୍ୟ ଜଣେ ଆକ୍ରମଣକାରୀ ନାବାଳକଙ୍କୁ ଗିରଫ କରି ଜୁଭେନାଲ କୋର୍ଟକୁ ଚାଲାଣ କରଥିଲା । ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ପୁଲିସ ଆଉ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ଗୋପାଳ ଚନ୍ଦ୍ର ମଲ୍ଲିକ (୫୬) । ଗିରଫ ଗୋପାଳଙ୍କୁ ମଙ୍ଗଳବାର ଶେରଗଡ଼ କୋର୍ଟକୁ ଚାଲାଣ କରିଛି। ଆଗାମୀ ଦିନରେ ଆକ୍ରମଣ ଘଟଣାରେ ସଂପୃକ୍ତଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।