
ଭୁବନେଶ୍ୱର: ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମଙ୍ଗଳବାର ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ବଡ ନିଷ୍ପତ୍ତି ନେବେ । ଘଟଣା ପଛରେ ଯିଏ ବି ଥିବେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
କେବଳ ପ୍ରିନ୍ସିପାଲ, HOD ନୁହଁନ୍ତି ଅନ୍ୟମାନେ ତଦନ୍ତ ପରିସରଭୁକ୍ତ ହେବେ । ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯିବ । ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡ଼ିବ ସରକାର ତାହା କରିବେ । ଘଟଣାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ଏହାର ଅଗ୍ରଗତି କେମିତି ଚାଲିଛି, ଆଉ କଣ ପଦକ୍ଷେପ ଆବଶ୍ୟକ ସେ ସବୁର ତର୍ଜମା କରିଛୁ। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ଲୋକସେବା ଭବନରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ରାଜସ୍ବ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ଶନିବାର ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ୬୦ ଘଣ୍ଟା ଧରି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳଙ୍କ ସହାୟତାରେ ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।