
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବିଜ୍ଞାନ (ସ୍ଵୟଂଶାସିତ) ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଜଣେ ଅଧ୍ୟାପକଙ୍କୁ ସେହି ବିଭାଗର ମୁଖ୍ୟ ଜାତିଆଣ ମନ୍ତବ୍ୟ ସହ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ନେଇ ସହଯୋଗୀ ଅଧ୍ୟାପକ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଚ୍ଚଶିକ୍ଷା ବିଭାଗ ଓ ହିଞ୍ଜିଳି ଥାନାକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ରହିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶପତ୍ର ଜାରୀ କରିଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜିତୁ ମୁଠାମାଝିଙ୍କୁ ଗତ ମଇ ମାସ ୩ ତାରିଖରେ ବିଭାଗୀୟ ମୁଖ୍ୟ ଆପତ୍ତିଜନକ ଜାତିଆଣ ମନ୍ତବ୍ୟ ସହ ବିଭିନ୍ନ ଧମକ ଦେବା ନେଇ କିଛି ସହଯୋଗୀ ଅଧ୍ୟାପକଙ୍କ ଠାରୁ ଶୁଣିବାକୁ ପାଇଥିଲେ। ଘଟଣାର ସତ୍ୟତା ଅନୁଧ୍ୟାନ କରି ନିଜର ସମ୍ମାନହାନି ହେଉଥିବା ଦର୍ଶାଇ ଘଟଣା ନେଇ ଗତ ମଇ ମାସ ୯ ତାରିଖରେ ମହାବିଦ୍ୟାଳୟ ପରିଚାଳନା କମିଟି, ଜିଏ ବିଭାଗୀୟ ମୁଖ୍ୟ ସଚିବ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହି ମାସ ୩୧ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା ଚାକିରୀରୁ ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଜୁନ ମାସ ୧ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ବସନ୍ତ କୁମାର ଆଚାରୀ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ନୂତନ ଅଧ୍ୟକ୍ଷ ଆଚାରୀ ଅଭିଯୋଗକାରୀ ଅଧ୍ୟାପକ ମୁଠାମାଝିଙ୍କ ଅଭିଯୋଗକୁ ଗୁରୁତ୍ଵ ନଦେବା ସହ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଏବଂ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଅଧ୍ୟାପକ ମୁଠାମାଝି ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ନିଜର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ସମ୍ବେଦନଶୀଳ ଘଟଣାର ସତ୍ୟତା ଅନୁଧ୍ୟାନ ନେଇମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ହିଞ୍ଜିଳି ଥାନାକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶପତ୍ର ଆସିଥିଲା। ବୁଧବାର ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଜେନା ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଭିଯୋଗକାରୀ ଅଧ୍ୟାପକ ଓ କିଛି ସହଯୋଗୀ ଅଧ୍ୟାପକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଘଟଣା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ଆଚାରୀ କହିଛନ୍ତି ଅଭିଯୋଗକୁ ଗୁରୁତ୍ଵ ପ୍ରଦାନ କରି ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି। ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢିଙ୍କୁ ପଚାରିବାରୁ ସେ କୁହନ୍ତି ଅଭିଯୋଗର ସତ୍ୟତା ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି, ରିପୋର୍ଟ ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।