କୋଟପାଡ଼ରେ ଜବରଦଖଲ ଉଛେଦ: ପ୍ରଶାସନର ପକ୍ଷପାତିତାକୁ ନେଇ ଜନଅସନ୍ତୋଷ

youtube

କୋଟପାଡ଼: ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋଟପାଡ଼ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ଏକରେ ଏକ ଜବରଦଖଲ ଉଛେଦ ଅଭିଯାନ କରାଯାଇଛି । ଏହି ଅଭିଯାନରେ କେନ୍ଦୁଗୁଡ଼ା ଛକ ଏବଂ କୁଞ୍ଜଗୁଡ଼ାରେ ଥିବା ଶ୍ମଶାନ ଜମି ଉପରୁ ବେଆଇନ ଭାବେ ନିର୍ମିତ ଦୋକାନ ଓ ଘରକୁ ଉଚ୍ଛେଦ କରାଯାଇଛି । ତହସିଲଦାର, ପୋଲିସ ଏବଂ ପରିଷଦ ପ୍ରଶାସନର ଉପସ୍ଥିତିରେ ଜେସିବି ସାହାଯ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ମାସକ ପୂର୍ବରୁ ସମ୍ପୃକ୍ତ ଜବରଦଖଲକାରୀମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଥିଲା । ନୋଟିସର ଅବମାନନା କରାଯିବାରୁ ଶନିବାର ଦିନ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ଜଣାପଡିଛି ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଶ୍ମଶାନ ଜମିର ଚତୁର୍ପାର୍ଶ୍ୱରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ବଡ଼ ବଡ଼ କୋଠାବାଡ଼ି ନିର୍ମାଣ କରିଛନ୍ତି । ଏହା ସହିତ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ସେଠାରେ ଗଢ଼ି ଉଠିଛି । କେବଳ କିଛି ଛୋଟ ଦୋକାନ ଓ ଘର ଭାଙ୍ଗି ପ୍ରଶାସନ ନିଜର ଦାୟିତ୍ୱ ସାରି ଦେଇଥିବା ବେଳେ ବଡ଼ ଜବରଦଖଲକାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି ।

ଏପରି ପାତରଅନ୍ତର ନୀତିକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଏଥିସହିତ, ଶ୍ମଶାନ ଭଳି ସରକାରୀ ଜମିରେ ପରିଷଦ ପକ୍ଷରୁ ଆବାସ ଗୃହ ପାଇଁ କିପରି ମଞ୍ଜୁରୀ ଦିଆଗଲା, ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି । କୋଟପାଡ଼ ସହରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.