କଲ୍ୟାଣସିଂହପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ବୈଠକ: ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

youtube

କଲ୍ୟାଣସିଂହପୁର/ରାୟଗଡ଼ା, ତା: ୨୦/୦୭/୨୫: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ “ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍”, କଲ୍ୟାଣସିଂହପୁର ବ୍ଳକ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ସମ୍ପାଦିକା ଶ୍ରୀମତୀ ଉଷାରାଣୀ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ତଥା ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ସଫଳ କରିବାଠାରୁ ଆରମ୍ଭ କରି ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ସେମାନଙ୍କର ଦୀର୍ଘ ଦିନର ଦାବିଗୁଡ଼ିକୁ ନୂତନ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି।

ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ହେଉଥିବା ଅବହେଳା ଓ ଅନ୍ୟାୟକୁ ବିରୋଧ କରି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ।

ନୂତନ ବ୍ଲକ କର୍ମକର୍ତ୍ତା ଚୟନ:
ଏହି ବୈଠକରେ ବ୍ଲକ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

  • ସଭାନେତ୍ରୀ: ହେମଲତା ମହାପାତ୍ର
  • ଉପସଭାନେତ୍ରୀ: ମଣ୍ଡଳି ସାରି, ପବିତ୍ରା ରଞ୍ଜନି ପଣ୍ଡା
  • ସମ୍ପାଦିକା: ବୃନ୍ଦାବତୀ ବେହେରା
  • ସହ-ସମ୍ପାଦିକା: ମଞ୍ଜୁଲତା ମହାପାତ୍ର
  • ସଂଗଠନ ସମ୍ପାଦିକା: ଏ. ମାଧୁରୀ
  • କୋଷାଧ୍ୟକ୍ଷ: ପଦ୍ମାବତୀ ନାୟକ

ଏହି କାର୍ଯ୍ୟକ୍ରମକୁ ରୀତା ରଞ୍ଜନି ପଣ୍ଡା, ମଞ୍ଜୁଳା ଉଲାକା ଏବଂ ଲିସା କର୍ସିକା ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.