
ବିରମିତ୍ରପୁର: ନିର୍ମାଣର ମାତ୍ର ଏକ ମାସ ପରେ ଭୁଶୁଡ଼ି ପଡ଼ିଛି ବିରମିତ୍ରପୁର JMFC (ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ୍ କ୍ଲାସ୍) ସିଭିଲ୍ କୋର୍ଟର ନବନିର୍ମିତ ପାଚେରୀ। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି ପାଚେରୀର ୧୦୦ ମିଟରରୁ ଅଧିକ ଅଂଶ ଗତ ଦୁଇ ଦିନର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ପାଚେରୀର ଶିଳାନ୍ୟାସ କରାଯାଇଥିଲା। ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ମାସକ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।
ତେବେ ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାରେ ପାଚେରୀର ଫାଉଣ୍ଡେସନ ସମ୍ପୂର୍ଣ୍ଣ ଦବି ଯାଇ ଇଟାଗୁଡ଼ିକ ତଳେ ପଡ଼ିରହିଛି। ଏତେ କମ୍ ଦିନରେ ଏକ ସରକାରୀ ପ୍ରକଳ୍ପର ଏଭଳି ଦୂରାବସ୍ଥା ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ଏବଂ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।