
ଚିତ୍ରକୋଣ୍ଡା: ମାତୃତ୍ୱକୁ ସମ୍ମାନ ଏବଂ ପରିବେଶ ସୁରକ୍ଷାର ଏକ ମହତ ଉଦ୍ଦେଶ୍ୟ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ‘ମା’ଙ୍କ ନାମରେ ଗଛଟିଏ’ ଶୀର୍ଷକରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ପରିବେଶକୁ ସବୁଜିମାମୟ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଅତ୍ୟନ୍ତ ଉତ୍ସାହର ସହ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କାର୍ଯ୍ୟାଳୟ ପରିସରରେ ଆମ୍ବ, ପଣସ, ପିଜୁଳି ଭଳି ବିଭିନ୍ନ ଫଳ ବୃକ୍ଷ ସମେତ ପରିବେଶ ପାଇଁ ହିତକର ଅନେକ ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏହି ସବୁଜିମା ସୃଷ୍ଟିର ପ୍ରୟାସକୁ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିମାନେ ମଧ୍ୟ ଭରପୂର ସମର୍ଥନ ଜଣାଇଥିଲେ।
ଚିତ୍ରକୋଣ୍ଡା ବନ ଅଧିକାରୀ ଶ୍ରୀ ବଳରାମ ନାୟକ, ବନପାଳ ଶ୍ରୀ ନିରଞ୍ଜନ ସାରକା ଏବଂ ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ଶ୍ରୀ ବିଦେଶୀ ଗୌଡ଼ ଅତିଥି ଭାବେ ଯୋଗ ଦେଇ ନିଜେ ସ୍ୱେଚ୍ଛାକୃତ ଭାବେ ବୃକ୍ଷରୋପଣ କରିଥିଲେ। ସାମ୍ବାଦିକମାନଙ୍କର ଏଭଳି ପରିବେଶ-ହିତୈଷୀ କାର୍ଯ୍ୟକୁ ସେମାନେ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତବ୍ୟକ୍ତ କରିଥିଲେ।
ଏହି ମହତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ସର୍ବଶ୍ରୀ ଶିବ ଖରା, ଅନ୍ତର୍ଯ୍ୟାମୀ ଡାକୁଆ, ସତ୍ୟବାଦୀ ବେହେରା, ବଳରାମ ଦାସ, ପ୍ରକାଶ ସାହୁ, ଅଜୟ ସିକଦାର, ଧର୍ମେନ୍ଦ୍ର ରାଉତ, ଚିତ୍ରସେନ ନାୟକ, ଏବଂ ସଞ୍ଜିତ ଖେମୁଡୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ମା’ ଏବଂ ମାଟିର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅନୁକରଣୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।