
ଉମରକୋଟ, ୨୦/୦୭: ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଏକ ପ୍ରେରଣାଦାୟୀ ପଦକ୍ଷେପ ଦେଖିବାକୁ ମିଳିଛି। “କଳିଙ୍ଗ ୨୪ ନ୍ୟୁଜ୍” ଏବଂ ଉମରକୋଟ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ବୃହତ ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବପିଢ଼ି, ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀମାନେ ଏକାଠି ହୋଇ ସହରକୁ ସ୍ୱଚ୍ଛ ରଖିବାକୁ ସଂକଳ୍ପ ନେଇଛନ୍ତି।
ଏହି ଅବସରରେ ଉମରକୋଟର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଡି.ଏନ୍.କେ ଦର୍ଗାଗୁଡ଼ା ଗ୍ରାମର ଉତ୍ସାହୀ ଯୁବକ ଏବଂ ପୌର ପରିଷଦର ସଦସ୍ୟମାନେ ନିଜେ ହାତରେ ଝାଡୁ ଓ କୋଦାଳ ଧରି ସଫେଇ କାର୍ଯ୍ୟରେ ଲାଗି ପଡ଼ିଥିଲେ। ସେମାନେ ସେହି ଅଞ୍ଚଳରେ ଥିବା ପାର୍କ ଏବଂ ଜେଲ୍କୁ ସଂଯୋଗ କରୁଥିବା ରାସ୍ତାକଡ଼ରୁ ଆବର୍ଜନା, ପଲିଥିନ ଓ ଅଳିଆ ସଫା କରି ଏକ ସୁସ୍ଥ ପରିବେଶର ବାର୍ତ୍ତା ଦେଇଥିଲେ। ଯୁବପିଢ଼ିଙ୍କ ଏହି ସ୍ୱେଚ୍ଛାକୃତ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, “ସ୍ୱଚ୍ଛତା କେବଳ ଏକ ସରକାରୀ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ। ଯୁବପିଢ଼ି ଏହି ଦାୟିତ୍ୱକୁ ବୁଝି ଆଗେଇ ଆସିବା ଏକ ଶୁଭ ସଙ୍କେତ।”
ଅନ୍ୟତମ ଅତିଥି ଭାବେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁକୂଳିଆ, ୱାର୍ଡ ସଦସ୍ୟ ତଥା ଆଇନଜୀବୀ ତପନ ଦେବନାଥ, ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସଂଘ (OUWJ)ର ଜିଲ୍ଲା ସଭାପତି ଶେଖର ଖୁରା, ସମ୍ପାଦକ ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ରଞ୍ଜିତ ନାୟକ ଏବଂ ଅଲ୍ ଓଡ଼ିଶା ବ୍ୟୁରୋ ଚିଫ୍ ସଞ୍ଜୀବ ଖୁରା ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛ ପରିବେଶର ଗୁରୁତ୍ୱ ଉପରେ ନିଜ ନିଜର ମତ ରଖିଥିଲେ।

ଏହି ମହତ କାର୍ଯ୍ୟରେ ଦର୍ଗାଗୁଡ଼ା ଗ୍ରାମର ଅନ୍ୟ ଯୁବକ, ଯୁବତୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନିଜ ଗାଁ ଓ ସହରକୁ ପରିଷ୍କାର ରଖିବା ପାଇଁ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ।
ଏହି ସଫେଇ ଅଭିଯାନ ସ୍ପଷ୍ଟ କରିଦେଇଛି ଯେ, କେବଳ ସରକାରୀ ଯୋଜନା ନୁହେଁ, ବରଂ ସାମୂହିକ ପ୍ରୟାସ ଏବଂ ସଚେତନତା ହିଁ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନର ମୂଳଦୁଆ। ଯୁବଶକ୍ତି ଏବଂ ସ୍ଥାନୀୟ ସମାଜର ମିଳିତ ଉଦ୍ୟମରେ ସ୍ୱଚ୍ଛ ଭାରତର ସ୍ୱପ୍ନ ସାକାର ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।