
ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ସମ୍ଭାବନା। ଆଜି ପାଇଁ ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ। ଉପକୂଳବର୍ତ୍ତି ୯ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ରହିଛି। ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ମୟୂରଭଂଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ। ଆସନ୍ତା କାଲି ପାଇଁ ମଧ୍ୟ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଉପକୂଳରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ୨୩ ତାରିଖରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।
ଏପଟେ ଘୁ ଘୁ ଗର୍ଜନ କରି ପାହାଡ଼ ଉପରୁ ମାଡ଼ିଆସିଲା ପାଣି। ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଧନରେ ପ୍ରବଳ ବର୍ଷା ଫଳରେ ପାହାଡ଼ ଉପରୁ ମାଡ଼ିଆସିଛି ପାଣି । ଗତକାଲି ହରିଶଙ୍କର ପାପନାଶିନୀ ଝରଣାରେ ଅପ୍ରତ୍ୟାଶିତ ଭାବରେ ପାଣି ମାଡି ଆସିଥିଲା ।
ତେବେ ପାହାଡ ଉପରେ ପ୍ରବଳ ବର୍ଷା ଫଳରେ ପାଣି ଆସିଥିଲା । ଭୟଙ୍କର ଭାବରେ ପାଣି ମାଡିଆସିବା ହେତୁ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଥିଲେ । ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ ।