
ବାଲେଶ୍ୱର : ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଆଜି କ୍ରାଇମବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର ବାଲେଶ୍ଵରରେ ପହଞ୍ଚି ତଦନ୍ତ ଦାୟିତ୍ୱରେ ଥିବା ଅଧକାରୀଙ୍କ ସହ ଘଟଣା ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ପରେ ଫକୀର ମୋହନ କଲେଜରେ ପ୍ରାୟ 3 ଘଣ୍ଟା ପଚରାଉଚରା ପରେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କ ଅଫିସରେ ଡିଜି କ୍ରାଇମବ୍ରାଞ୍ଚ ଆଇଜି ଏସ ସାଇନିଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୌମ୍ୟା ଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ବଡ଼ ଦୁଃଖଦ ଘଟଣା । ଏହି କେସରେ ଜିଲ୍ଲା ପୋଲିସ ପ୍ରାଥମିକ ସ୍ତରରେ ତଦନ୍ତ ଆରମ୍ଭ କରିଥିଲା । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗତ ଶୁକ୍ରବାରରେ ଆମର କ୍ରାଇମ ବ୍ରାଞ୍ଚର ଟିମ୍ ତଦନ୍ତ ଭାର ନେଇଛି । କ୍ରାଇମ୍ ବ୍ରାଞ୍ଚର ଦୁଇ ଜଣ ଅଧିକାରୀ ତଦନ୍ତରେ ଅଛନ୍ତି । ଆଇ ଜି ଏସ ସାଇନିଙ୍କ ମାର୍ଗ ଦର୍ଶନରେ ଏହି ଘଟଣାର ତଦନ୍ତ ଆଗକୁ ବଢୁଛି । ଏହି କେସ ଏକ ଜଟିଳ ଘଟଣା ।
ଆମର ପ୍ରାଥମିକତା ଏହି କେସରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ସେମାନଙ୍କୁ ଚିହ୍ନଟ କରିବା । ଏହି ଘଟଣା ସହ ବହୁତ୍ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ । ବର୍ତ୍ତମାନ ଏହି କେସରେ ଆମେ ଅଧିକରୁ ଅଧିକ ସାକ୍ଷୀମାନଙ୍କର ବୟାନ ନେବାର ଅଛି । ପରିବାର, ସାଙ୍ଗ, ହଷ୍ଟେଲ ସାଙ୍ଗ ଓ ସାକ୍ଷୀମାନଙ୍କର ବୟାନ ନେଇଛୁ । ଜବତ ସମସ୍ତ ସିସିଟିଭି ଫୁଟେଜ sfsl କୁ ପଠାଯିବ ।
ପ୍ରତ୍ୟକ୍ଷ ଦର୍ଷୀଙ୍କ ବୟାନ, ଆଇସିସି କମିଟିର ବୟାନ ,କମିଟି ସାମ୍ନାରେ ଦେଇଥିବା ଲୋକମାନେ ପୂର୍ବରୁ ଦେଇଥିବା ବୟାନ ସହ ବର୍ତ୍ତମାନର ବୟାନର ତାଳମେଳ ରହୁନାହିଁ । ଏସବୁକୁ ତଦନ୍ତ କରିବାର ଆମକୁ ଅଧିକ ସମୟ ଲାଗିବ । ଏହାସହ ଡିଜିଟାଲ ଏଭିଡେନ୍ସକୁ ତର୍ଜମା କରି ଆମେ ନିଷ୍କର୍ଷରେ ପହଁଚିବୁ । ଆମର ଟିମ୍ ବାଲେଶ୍ଵରରେ ଆହୁରି କିଛି ଦିନ ରହିବ । ଏହି କେସକୁ ସଂପୂର୍ଣ୍ଣ ଭାବରେ ନ୍ୟାୟୋଚିତ ତରିକାରେ ଉଚିତ ତଦନ୍ତ କରି ଆମେ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବୁ ବୋଲି କ୍ରାଇମ୍ ବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର କହିଛନ୍ତି ।