
ଭୁବନେଶ୍ୱର : ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି ।
ଉଦିତ ଗିରଫ ହେବା ପରେ ତୁରନ୍ତ ତାଙ୍କୁ ନିଲମ୍ବିତ କରିଛି କଂଗ୍ରେସ । ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବନ କରିଛନ୍ତି NSUIର ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ । ଲିଙ୍ଗଭିତ୍ତିକ ଅନ୍ୟାୟ ପ୍ରତି NSUI ଜିରୋ ଟଲେରାନ୍ସ ନୀତି ଗ୍ରହଣ କରେ ବୋଲି କୁହାଯାଇଛି ।
ଏହାସହ ଉଦିତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଘଟଣା ସମ୍ପର୍କରେ ତଥ୍ୟର ଅନୁଧ୍ୟାନ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ପିସିସି ଉପସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଖୁବଶୀଘ୍ର ପୀଡ଼ିତାଙ୍କୁ ଭେଟି ଆଲୋଚନା କରିବ ଟିମ୍ । ଏହି କମିଟି ଅଭିଯୋଗକାରିଣୀଙ୍କୁ ଭେଟିବା ପରେ ପିସିସିକୁ ରିପୋର୍ଟ ପ୍ରଦାନ କରିବ ।
ସୂଚନା ଅନୁସାରେ, ମାର୍ଚ୍ଚ ୧୮ରେ ପୀଡ଼ିତା ତାଙ୍କ ଜଣେ ବନ୍ଧୁଙ୍କ ସହ ସନ୍ଧ୍ୟାରେ ମାଷ୍ଟରକେନଟିନ ବୁଲିବାକୁ ଯାଇଥିଲେ । ଏହି ସମୟରେ କଂଗ୍ରେସ ଛାତ୍ର ସଭାପତି ଉଦିତ ସେମାନଙ୍କ ଗାଡ଼ିରେ ବସିଥିଲେ । ଏହାପରେ ପୀଡ଼ତାଙ୍କୁ ବୁଲାଇନେବା ବାହାନାରେ ଉଦିତ ମଞ୍ଚେଶ୍ୱରର ଏକ ହୋଟେଲକୁ ନେଇଯାଇଥିଲେ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ । ଉଦିତ ତାଙ୍କୁ ମୃଦୁପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହି ସମୟରେ ପୀଡ଼ିତା ଜଣକ ଘରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଉଦିତ ତାଙ୍କୁ ଛାଡ଼ିନଥିଲେ । ପୀଡ଼ିତାଙ୍କୁ ଅଧିକ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳତ୍କାର କରିଥିବା ଅଭିଯୋଗ ହୋଇଛି ।