ଠକ ଏଜେଣ୍ଟ କଥାରେ ଫସିଗଲେ ନିଆଳିର ୪ ଯୁବକ;ମ୍ୟାମାରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

add-all

ଭୁବନେଶ୍ବର:ଠକ ଏଜେଣ୍ଟ କଥାରେ ଫସିଗଲେ ଓଡିଆ ଯୁବକ । ନିଆଳିର ୪ଜଣ ଯୁବକଙ୍କୁ ହଙ୍ଗକଙ୍ଗ୍‌ର ଏକ ଫୁଡ୍ ପ୍ୟାକେଜିଂ କମ୍ପାନିରେ କାମ କରିବାକୁ କହି ଜଣେ ଏଜେଣ୍ଟ ନେଇଯାଇଥିଲେ।ଉକ୍ତ ଏଜେଣ୍ଟ ଅଧିକ ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ମ୍ୟାମାର୍‌ ଦେଶକୁ ନେଇ ସେମାନଙ୍କୁ ସାଇବର ଠକେଇ କାର୍ଯ୍ୟରେ ଲଗାଇଥିଲେ। କିନ୍ତୁ ଉକ୍ତ ଯୁବକମାନେ ସେଥିରେ ରାଜି ନ ହେବାରୁ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା । ଅକଥନୀୟ ନିର୍ଯାତନାର ସମ୍ମୁଖୀନ ହୋଇ ଯୁବକମାନେ ସେମାନଙ୍କ ପରିବାରକୁ ଫୋନ୍ କରି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି।

ତେବେ ପରିବାର ଲୋକେ ପ୍ରଥମେ ଶ୍ରମ କମିଶନର ଓ ପରେ ମ୍ୟାମାର୍‌ ଦୂତାବାସ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

ଯୁବକମାନେ ହେଲେ, ନିଆଳି ବ୍ଲକ୍ ଜଲ୍ଲାରପୁର ପଞ୍ଚାୟତ କୂଳଜଲ୍ଲାରପୁରର ପ୍ରତ୍ୟୁଷ ସ୍ବାଇଁ (୩୦), ବିଜୟ ନାୟକ (୩୦), ବାହାରଣା ପଞ୍ଚାୟତ ବରିମୁଣ୍ଡେଇର ଲକ୍ଷ୍ମୀକାନ୍ତ ପଣ୍ତା (୨୯) ଓ ସୌମ୍ୟରଞ୍ଜନ ବିହାରୀ (୩୬) ।

ଖବରମୁତାବକ, ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଗତ ଫେବ୍ରୁଆରି ୨୭ ତାରିଖରେ ଘରୁ ଯାଇଥିଲେ । ସେମାନଙ୍କର ଭିସା ହୋଇ ନଥିଲା। କିଛିଦିନ କାମ କଲା ପରେ ଭିସା ମିଳିଯିବ ବୋଲି କହି ବେଆଇନ ଭାବେ ସୀମା ଅତିକ୍ରମ କରାଇ ମ୍ୟାମାର୍‌ ନିଆଯାଇଥିଲା। ସେଠାରେ ୪ଜଣଙ୍କୁ ଅଲଗା ଅଲଗା ସ୍ଥାନରେ ରଖି ଓଡ଼ିଆ ଓ ହିନ୍ଦୀ ଭାଷାରେ ଫୋନ୍ କରି ଭାରତ ଓ ଖାସ୍ କରି ଓଡ଼ିଶା ଲୋକଙ୍କୁ ଫସାଇ ସାଇବର‌ ଠକେଇ ଜାଲରେ ଛନ୍ଦିବାକୁ କୁହାଯାଇଥିଲା । ସେମାନେ ମନା କରିବାରୁ ଖାଇବା ପିଇବା ବନ୍ଦ କରିଦିଆଯିବା ସହ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

ତେବେ ଦିନକୁ ମାତ୍ର ୧୦ ମିନିଟ୍ ସେମାନଙ୍କୁ ମୋବାଇଲ୍ ଦିଆଯାଉଥିଲା। ଯୁବକମାନେ ସେମାନଙ୍କ ପରିବାରକୁ ଫୋନ୍ କରି ନିର୍ଯାତନା ବିଷୟରେ କହିବା ସହ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି।

ତେବେ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଆସିଥିବା ବେଳେ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ବାଳ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ଯୁବକମାନଙ୍କ ପରିବାର ସହ ଆଲୋଚନା କରିଥିଲେ। ତୁରନ୍ତ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ହୋଇଥିଲା ଓ ଖୁବ୍‌ଶୀଘ୍ର ଉଦ୍ଧାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି ।

ad-week
Leave A Reply

Your email address will not be published.