
ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ସମ୍ବିଧାନର ଧାରା ୬୮(୨) ଅନୁଯାୟୀ, ଯଦି ଉପରାଷ୍ଟ୍ରପତିଙ୍କର ମୃତ୍ୟୁ, ଇସ୍ତଫା, ପଦଚ୍ୟୁତି କିମ୍ବା ଅନ୍ୟ କୌଣସି କାରଣରୁ ପଦବୀ ଖାଲି ହୁଏ, ତେବେ ଏହି ପଦ ପୂରଣ ପାଇଁ ଶୀଘ୍ର ନିର୍ବାଚନ କରାଯିବା ଆବଶ୍ୟକ। ଏହି ପଦ ପାଇଁ ନିର୍ବାଚିତ ହୋଇଥିବା ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟ କରିବେ।
ଉପରାଷ୍ଟ୍ରପତି ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଟେ। ସମ୍ବିଧାନ ଅନୁଯାୟୀ, ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି। ତେଣୁ, ଇସ୍ତଫା ଭଳି କାରଣରୁ ଏହି ପଦ ଖାଲି ପଡ଼ିଲେ ରାଜ୍ୟସଭାର ଉପାଧ୍ୟକ୍ଷ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ରାଜ୍ୟସଭାର କୌଣସି ସଦସ୍ୟ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥାନ୍ତି। ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଯଦି ଉପରାଷ୍ଟ୍ରପତି ପଦ ଖାଲି ହୁଏ, ତେବେ କିଏ କାର୍ଯ୍ୟକାରୀ ଉପରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ, ସେନେଇ ସମ୍ବିଧାନରେ କୌଣସି ସ୍ପଷ୍ଟ ବ୍ୟବସ୍ଥା ନାହିଁ।
ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିପାରିବେ ଏବଂ ତାହା ଗୃହୀତ ହେବା ଦିନଠାରୁ କାର୍ଯ୍ୟକାରୀ ହୋଇଥାଏ। ଯେତେବେଳେ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି, ସେତେବେଳେ ସେ ରାଜ୍ୟସଭା ଅଧ୍ୟକ୍ଷ ପଦର ଦରମା ବା ଭତ୍ତା ପାଆନ୍ତି ନାହିଁ।
ନିର୍ବାଚନ ପ୍ରକ୍ରିୟା ଓ ଯୋଗ୍ୟତା:
ସମ୍ବିଧାନର ଧାରା ୬୬ ଅନୁଯାୟୀ, ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ନେଇ ଗଠିତ ଏକ ନିର୍ବାଚକ ମଣ୍ଡଳୀ (electoral college) ଦ୍ୱାରା ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀରେ ଏକକ ସ୍ଥାନାନ୍ତରଣୀୟ ଭୋଟ ମାଧ୍ୟମରେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି।
ଏହି ପଦ ପାଇଁ ପ୍ରାର୍ଥୀଙ୍କୁ ନିମ୍ନଲିଖିତ ଯୋଗ୍ୟତା ପୂରଣ କରିବାକୁ ପଡ଼ିଥାଏ:
- ସେ ଜଣେ ଭାରତୀୟ ନାଗରିକ ହୋଇଥିବେ।
- ତାଙ୍କୁ ଅତି କମ୍ରେ ୩୫ ବର୍ଷ ବୟସ ହୋଇଥିବ।
- ସେ ରାଜ୍ୟସଭାର ସଦସ୍ୟ ହେବା ପାଇଁ ଯୋଗ୍ୟ ହୋଇଥିବେ।
- ସେ ଭାରତ ସରକାର, କୌଣସି ରାଜ୍ୟ ସରକାର କିମ୍ବା କୌଣସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ନଥିବେ।